Skip to content
BibleKenya

Biblica® Open Odia Contemporary Bible

ଲୂକ 11

ପ୍ରାର୍ଥନା ସମ୍ବନ୍ଧରେ ଯୀଶୁଙ୍କ ଶିକ୍ଷା

ଦିନେ ଯୀଶୁ କୌଣସି ଏକ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା ଶେଷ କରିବାପରେ, ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, “ପ୍ରଭୁ, ଯୋହନ ଯେପରି ନିଜର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଥିଲେ, ଆମକୁ ମଧ୍ୟ ସେହିପରି ଶିଖାଇ ଦିଅନ୍ତୁ।”

ସେ ସେମାନଙ୍କୁ କହିଲେ, “ଯେତେବେଳେ ପ୍ରାର୍ଥନା କର, ସେତେବେଳେ କୁହ:

“ ‘ପିତା,

ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ,

ତୁମ୍ଭର ରାଜ୍ୟ ଆସୁ।

ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।

ଆମର ପାପସବୁ କ୍ଷମା କର,

କାରଣ ଆମ ବିରୁଦ୍ଧରେ ପାପ କରିଥିବା ପ୍ରତ୍ୟେକ ଜଣକୁ ଆମେ ମଧ୍ୟ କ୍ଷମା କରୁ।

ଆମ୍ଭମାନଙ୍କୁ ପରୀକ୍ଷା ମଧ୍ୟକୁ ନିଅ ନାହିଁ।’ ”

ତତ୍ପରେ ସେ ସେମାନଙ୍କୁ କହିଲେ, “ମନେକର ତୁମ ମଧ୍ୟରୁ କାହାରି ଜଣକର ଏପରି ବନ୍ଧୁ ଅଛି, ଯାହା ନିକଟକୁ ସେ ଅଧରାତିରେ ଯାଇ କହିବ, ‘ବନ୍ଧୁ, ମୋତେ ତିନୋଟି ରୋଟୀ ଉଧାର ଦିଅ; କାରଣ ଯାତ୍ରା ପଥରେ ମୋର ଜଣେ ବନ୍ଧୁ ମୋ ପାଖକୁ ଆସିଛି, ଓ ତାକୁ ପରିବେଷଣ କରିବାକୁ ମୋ ପାଖେ କିଛି ନାହିଁ।’ ତା ପରେ ସେ ଘର ଭିତରୁ ଏହିପରି ଉତ୍ତର ଦେବ, ‘ମୋତେ ବିରକ୍ତ କର ନାହିଁ। କବାଟରେ ତାଲା ପଡ଼ିଲାଣି, ଓ ପିଲାମାନେ ମୋ ସଙ୍ଗେ ଶୋଇଛନ୍ତି। ମୁଁ ଏବେ ଉଠି ତୁମକୁ କିଛି ଦେଇପାରିବି ନାହିଁ।’ ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ଲୋକ ତାହାର ବନ୍ଧୁ ହୋଇଥିବାରୁ ଯେ ଉଠି ରୋଟୀ ଦେବ, ତା ନୁହେଁ ମାତ୍ର ବାରମ୍ଭାର ମାଗିବା ହେତୁ ସେ ଉଠିବ ଓ ତାହାର ଯାହା ପ୍ରୟୋଜନ ତାହା ଦେଇଦେବ।

“ଅତଏବ ମୁଁ ତୁମ୍ଭମାନଙ୍କୁ କହୁଛି: ମାଗ ତୁମକୁ ଦିଆଯିବ; ଖୋଜ ତୁମେ ପାଇବ; ଦ୍ଵାରରେ ଆଘାତ କର ତୁମ ପାଇଁ ଦ୍ଵାର ଖୋଲାଯିବ। କାରଣ ଯେ ମାଗେ ତାହାକୁ ମିଳେ; ଯେ ଖୋଜେ ସେ ପାଏ; ଯେ ଦ୍ଵାରରେ ଆଘାତ କରେ, ତାହା ପାଇଁ ଦ୍ଵାର ଖୋଲି ଦିଆଯିବ।

“ତୁମ୍ଭମାନଙ୍କମଧ୍ୟରେ ଏପରି କେଉଁ ପିତା ଅଛି, ଯେ କି ତାହାର ପୁଅ ମାଛ ମାଗିଲେ, ତା ବଦଳରେ ତାକୁ ସାପ ଦେବ? କିମ୍ବା ସେ ଅଣ୍ଡା ମାଗିଲେ, ତାକୁ କଅଣ ବିଛା ଦେବ? ଅତଏବ, ତୁମେମାନେ ପାପୀ ମନୁଷ୍ୟ ହୋଇ ସୁଦ୍ଧା, ନିଜ ସନ୍ତାନମାନଙ୍କୁ ଯଦି ଉତ୍ତମ ବିଷୟ ଦେଇ ଜାଣ, ତେବେ ତୁମମାନଙ୍କର ସ୍ଵର୍ଗସ୍ଥ ପିତା ତାଙ୍କ ନିକଟରେ ମାଗିବା ଲୋକଙ୍କୁ କେତେ ଅଧିକଭାବେ ପବିତ୍ରଆତ୍ମାଙ୍କୁ ନ ଦେବେ!”

ଯୀଶୁ ଏବଂ ବାଲ୍‌ଜିବୁବ୍

ଥରେ ଯୀଶୁ ଜଣେ ମୂକ ଲୋକଠାରୁ ଭୂତ ଛଡ଼ାଉଥିଲେ। ଭୂତାତ୍ମା ବାହାରିଗଲା ପରେ, ମୂକ ଲୋକଟି କଥା କହିଲା, ଏବଂ ଲୋକମାନେ ଆଚମ୍ବିତ ହେଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, “ସେ ଭୂତପତି ବାଲ୍‌ଜିବୁବ୍ ଦ୍ଵାରା ଭୂତ ଛଡ଼ାଉଛି।” ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ପାଇଁ ଆକାଶରୁ ଏକ ଚିହ୍ନ ମାଗିଲେ।

ଯୀଶୁ ସେମାନଙ୍କ ମନର ଭାବନା ଜାଣିପାରି ସେମାନଙ୍କୁ କହିଲେ: “କୌଣସି ରାଜ୍ୟ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠିଲେ ତାହା ଧ୍ୱଂସ ପାଇବ, ଏବଂ ପରିବାର ନିଜ ବିରୁଦ୍ଧରେ ବିଭାଜିତ ହେଲେ ତାହାର ପତନ ହେବ। ଅତଏବ ଶୟତାନ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତେବେ ତାହାର ରାଜ୍ୟ ତିଷ୍ଠିବ କିପରି? ମୁଁ ବାଲ୍‌ଜିବୁବ୍ ସାହାଯ୍ୟରେ ଭୂତ ଛଡ଼ାଏ ବୋଲି ତୁମେମାନେ କହୁଥିବାରୁ ମୁଁ ଏହା କହୁଛି। ମୁଁ ଯଦି ବାଲ୍‌ଜିବୁବ୍ ଦ୍ଵାରା ଭୂତ ଛଡ଼ାଉଛି, ତେବେ ତୁମମାନଙ୍କର ଅନୁଗାମୀମାନେ କାହା ସାହାଯ୍ୟରେ ଭୂତ ଛଡ଼ାନ୍ତି? ଅତଏବ, ସେମାନେ ତୁମର ବିଚାରକ ହେବେ। କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଶକ୍ତିରେ ଭୂତ ଛଡ଼ାଉଛି, ତେବେ ଈଶ୍ୱରଙ୍କ ରାଜ୍ୟ ତୁମମାନଙ୍କ ନିକଟକୁ ଆସିଗଲାଣି।

“କୌଣସି ବଳବାନ ଲୋକ, ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ, ନିଜ ଗୃହକୁ ରକ୍ଷା କରୁଥାଏ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦ ଥାଏ। କିନ୍ତୁ ତା ଠାରୁ ଅଧିକ ଶକ୍ତିଶାଳୀ କେହି ଯେବେ ତାକୁ ଆକ୍ରମଣ କରି ପରାସ୍ତ କରେ, ତେବେ ସେହି ଲୋକ ନିର୍ଭର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସେ ଛଡ଼ାଇ ନିଏ ଓ ଧନସମ୍ପତ୍ତି ଲୁଟି ନେଇ ଭାଗ କରେ।

“ଯେ ମୋର ସପକ୍ଷ ନୁହେଁ ସେ ମୋର ବିପକ୍ଷ, ଏବଂ ଯେ ମୋ ସହିତ ମିଶି ସଂଗ୍ରହ କରେ ନାହିଁ ସେ ଛିନ୍ନଭିନ୍ନ କରି ପକାଏ।

ସାତ ଭୂତାତ୍ମାର ଦୃଷ୍ଟାନ୍ତ

“ଯେତେବେଳେ କୌଣସି ମନୁଷ୍ୟ ମଧ୍ୟରୁ ଭୂତାତ୍ମା ବାହାରିଯାଏ, ସେତେବେଳେ ସେ ବିଶ୍ରାମ ଖୋଜି ଖୋଜି ଜଳଶୂନ୍ୟ ସ୍ଥାନକୁ ଯାଏ କିନ୍ତୁ ସେଠାରେ ବିଶ୍ରାମ ପାଏ ନାହିଁ। ତା ପରେ ସେ କହେ, ‘ମୁଁ ଯେଉଁ ଘରୁ ବାହାରି ଆସିଥିଲି ସେଠାକୁ ଫେରିଯିବି।’ ସେ ସେଠାରେ ପହଞ୍ଚି, ଘରକୁ ସଫାସୁତୁରା ଓ ସଜଡ଼ା ହୋଇଥିବାର ଦେଖେ। ତା ପରେ ସେହି ଭୂତାତ୍ମା ଚାଲିଯାଇ ନିଜ ଅପେକ୍ଷା ଅଧିକ ଦୁଷ୍ଟ ଆଉ ସାତୁଟା ଭୂତାତ୍ମାକୁ ସଙ୍ଗରେ ଆଣେ, ଓ ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି। ଫଳରେ ସେହି ଲୋକର ଶେଷଦଶା ପ୍ରଥମ ଦଶା ଅପେକ୍ଷା ଅଧିକ ମନ୍ଦ ହୁଏ।”

ଯୀଶୁ ଏହିସବୁ କଥା କହୁଥିବା ସମୟରେ, ଜନତା ମଧ୍ୟରୁ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ଵରରେ କହିଲା, “ଧନ୍ୟ ସେହି ମାତା ଯିଏ ତୁମକୁ ଗର୍ଭରେ ଧାରଣ କଲେ ଓ ସ୍ତନ୍ୟପାନ କରାଇଲେ।”

ସେ ଉତ୍ତର ଦେଲେ, “ଧନ୍ୟ ସେହିମାନେ ଯେଉଁମାନେ ଈଶ୍ୱରଙ୍କ ବାର୍ତ୍ତା ଶୁଣନ୍ତି ଓ ପାଳନ କରନ୍ତି।”

ଯୂନସଙ୍କର ଉଦାହରଣ

ଜନଗହଳି ବଢ଼ିବାରୁ ଯୀଶୁ କହିଲେ, “ଏହା ଏକ ଅଧାର୍ମିକ ବଂଶ। ଏମାନେ ଏକ ଅଲୌକିକ ଚିହ୍ନ ଦେଖିବାକୁ ମାଗନ୍ତି, କିନ୍ତୁ ଯୂନସଙ୍କ ଚିହ୍ନଛଡ଼ା ଅନ୍ୟ କୌଣସି ଚିହ୍ନ ଏମାନଙ୍କୁ ଦିଆଯିବ ନାହିଁ। କାରଣ ଯୂନସ ଯେପରି ନିନିବୀର ଲୋକମାନଙ୍କ ପ୍ରତି ଚିହ୍ନିସ୍ଵରୂପ ହେଲେ, ମନୁଷ୍ୟପୁତ୍ର ସେହିପରି ଏ ବଂଶର ଲୋକମାନଙ୍କ ପ୍ରତି ହେବେ। ବିଚାର ବେଳେ ଦକ୍ଷିଣ ଦେଶର ରାଣୀ ଏହି ବଂଶର ଲୋକମାନଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ବିଜ୍ଞବଚନ ଶୁଣିବା ପାଇଁ ସୁଦୂର ପ୍ରାନ୍ତରୁ ଆସିଥିଲେ; ଅଥଚ ବର୍ତ୍ତମାନ ଶଲୋମନଙ୍କ ଅପେକ୍ଷା ମହାନ୍ ଜଣେ ଏଠାରେ ଅଛନ୍ତି। ବିଚାର ବେଳେ ନିନିବୀର ଲୋକେ ଏହି ବଂଶ ବିରୁଦ୍ଧରେ ଉଠି ତାହାକୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଫଳରେ ସେମାନେ ଅନୁତାପ କରିଥିଲେ; କିନ୍ତୁ ବର୍ତ୍ତମାନ ଯୂନସଙ୍କ ଅପେକ୍ଷା ମହାନ୍ ଜଣେ ଏଠାରେ ଅଛନ୍ତି।

ଶରୀରର ଆଲୋକ

“କେହି ଦୀପଟିଏ ଜାଳି ତାହା ଦେଖା ନ ଯିବା ସ୍ଥାନରେ, କିମ୍ବା ପାତ୍ର ତଳେ ରଖେ ନାହିଁ। ବରଂ ସେ ଦୀପରୁଖା ଉପରେ ରଖେ, ଯଦ୍ଦ୍ୱାରା ଭିତରକୁ ଆସିବା ଲୋକେ ଆଲୋକ ଦେଖିପାରିବେ। ତୁମର ଚକ୍ଷୁ ଶରୀରର ପ୍ରଦୀପ। ତୁମର ଚକ୍ଷୁ ଯଦି ସତେଜ, ତେବେ ସମଗ୍ର ଶରୀର ମଧ୍ୟ ଆଲୋକମୟ ହେବ। କିନ୍ତୁ ଚକ୍ଷୁ ଯଦି ନିଷ୍ପ୍ରଭ, ତେବେ ତୁମର ସମଗ୍ର ଶରୀର ମଧ୍ୟ ଅନ୍ଧକାରମୟ ହେବ। ଅତଏବ, ସାବଧାନ, ତୁମର ଅନ୍ତରସ୍ଥ ଆଲୋକ ଯେପରି ଅନ୍ଧକାର ନ ହୁଏ। ସେଥିପାଇଁ, ତୁମର ସମଗ୍ର ଶରୀର ଯଦି ଆଲୋକମୟ, ଏବଂ କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତେବେ ପ୍ରଦୀପ ତୁମକୁ ଆଲୋକ ପ୍ରଦାନ କଲା ପରି ତାହା ସଂପୂର୍ଣ୍ଣ ଆଲୋକିତ ହେବ।”

ଭଣ୍ଡ ଧର୍ମଗୁରୁ ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ

ଯୀଶୁ କଥା ଶେଷ କରିବାପରେ, ଜଣେ ଫାରୂଶୀ ତାଙ୍କ ସହିତ ଭୋଜନ କରିବାକୁ ଯୀଶୁଙ୍କୁ ନିମନ୍ତ୍ରଣ କଲେ; ତେଣୁ ସେ ଘର ଭିତରକୁ ଯାଇ ଭୋଜନରେ ବସିଲେ। ଭୋଜନ କରିବା ପୂର୍ବରୁ ସେ ପ୍ରଥମେ ହାତ, ପାଦ ପ୍ରକ୍ଷାଳନ ନ କରିବାର ଦେଖି ଫାରୂଶୀ ଆଶ୍ଚର୍ଯ୍ୟ ହେଲେ।

ତତ୍ପରେ ପ୍ରଭୁ ତାଙ୍କୁ କହିଲେ, “ତୁମେ ଫାରୂଶୀମାନେ ଗିନା ଓ ଥାଳିର ବାହାରଟା ଧୋଇ ମାଜି ପରିଷ୍କାର କରୁଥାଅ, କିନ୍ତୁ ଭିତରେ ତୁମେମାନେ ଲୋଭ ଓ ଦୁଷ୍ଟପଣରେ ପୂର୍ଣ୍ଣ। ହେ ନିର୍ବୋଧ ଲୋକମାନେ! ଯେ ବାହାର ସୃଷ୍ଟି କଲେ ସେ କଣ ଭିତର ମଧ୍ୟ ସୃଷ୍ଟି କରିନାହାନ୍ତି? କିନ୍ତୁ ତୁମ ମଧ୍ୟରେ ଯାହା ଅଛି ତାହା ଦରିଦ୍ରମାନଙ୍କୁ ଦାନ କର, ଏବଂ ତୁମ ପାଇଁ ସବୁକିଛି ଶୁଚି ହେବ।

“ହେ ଫାରୂଶୀମାନେ ତୁମ୍ଭମାନଙ୍କୁ ଧିକ୍, ତୁମେମାନେ ପୋଦିନା, ଆରୁଦ ଓ ସବୁପ୍ରକାର ଶାକର ଦଶମାଂଶ ଦେଲେ ମଧ୍ୟ, ନ୍ୟାୟ ଓ ଈଶ୍ୱରଙ୍କ ପ୍ରେମ ବିଷୟ ହେଳା କରିଥାଅ। ପ୍ରଥମୋକ୍ତ ବିଷୟଗୁଡ଼ିକ ହେଳା ନ କରି ଶେଷୋକ୍ତ ବିଷୟଗୁଡ଼ିକ ପାଳନ କରିବା ତୁମର ଉଚିତ ଥିଲା।

“ହେ ଫାରୂଶୀମାନେ ତୁମ୍ଭମାନଙ୍କୁ ଧିକ୍, କାରଣ ତୁମେମାନେ ଉପାସନାଗୃହମାନଙ୍କରେ ସବୁଠାରୁ ପ୍ରଧାନ ଆସନ ଗ୍ରହଣ କରିବାକୁ ଓ ହାଟବଜାରରେ ଅଭିବାଦନ ପାଇବାକୁ ଭଲ ପାଅ।

“ତୁମ୍ଭମାନଙ୍କୁ ଧିକ୍, କାରଣ ତୁମେମାନେ ଚିହ୍ନିତ ହୋଇ ନ ଥିବା କବର ସଦୃଶ, ଯାହା ଉପରେ ଲୋକେ ନ ଜାଣିପାରି ଯାତାୟତ କରନ୍ତି।”

ଶାସ୍ତ୍ରବିଶାରଦମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଇ କହିଲେ, “ଗୁରୁ, ଆପଣ ଏହିସମସ୍ତ କଥା କହି, ଆମକୁ ମଧ୍ୟ ଅପମାନ କରୁଛନ୍ତି।”

ଯୀଶୁ ଉତ୍ତର ଦେଲେ, “ହେ ଶାସ୍ତ୍ରବିଶାରଦମାନେ, ତୁମ୍ଭମାନଙ୍କୁ ଧିକ୍, କାରଣ ତୁମେମାନେ ଲୋକଙ୍କ ଉପରେ ଅସହ୍ୟ ଭାର ଲଦି ଦିଅ, ଅଥଚ ନିଜେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଟିପଟିଏ ସୁଦ୍ଧା ଲଗାଇ ନ ଥାଅ।

“ତୁମ୍ଭମାନଙ୍କୁ ଧିକ୍, କାରଣ ତୁମେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରିଥାଅ, ଅଥଚ ତୁମରି ପୂର୍ବପୁରୁଷମାନେ ତ ସେମାନଙ୍କୁ ହତ୍ୟା କରିଥିଲେ। ଏହିରୂପେ ତୁମ ପୂର୍ବପୁରୁଷମାନଙ୍କର କୃତକର୍ମକୁ ସମର୍ଥନ କରୁଛ; ସେମାନେ ଭାବବାଦୀମାନଙ୍କୁ ହତ୍ୟା କଲେ, ଓ ତୁମେମାନେ ସେମାନଙ୍କ ସମାଧି ନିର୍ମାଣ କରୁଛ। ଏହି କାରଣରୁ, ଈଶ୍ୱର ଆପଣା ଜ୍ଞାନରେ କହିଲେ, ‘ମୁଁ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତଶିଷ୍ୟମାନଙ୍କୁ ପଠାଇବି, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସେମାନେ ହତ୍ୟା କରିବେ ଓ ଅନ୍ୟମାନଙ୍କୁ ନିର୍ଯ୍ୟାତିତ କରିବେ।’ ସେଥିପାଇଁ ହେବଲଙ୍କ ରକ୍ତ ପାତଠାରୁ ଯଜ୍ଞବେଦି ଓ ପୁଣ୍ୟଧାମର ମଧ୍ୟସ୍ଥଳରେ ନିହତ ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର, ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଛି, ସେହିସବୁ ପାଇଁ ଏହି ପୀଢ଼ିର ଲୋକମାନେ ଦାୟୀ ହେବେ। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହିସମସ୍ତ ନିମନ୍ତେ ଏହି ପୀଢ଼ିର ଲୋକମାନେ ଦାୟୀ ହେବେ।

“ହେ ଶାସ୍ତ୍ରବିଶାରଦମାନେ ତୁମ୍ଭମାନଙ୍କୁ ଧିକ୍, କାରଣ ତୁମେମାନେ ଜ୍ଞାନର ଚାବି ନେଇ ଯାଇଛ, ଅଥଚ ତୁମେମାନେ ନିଜେ ପ୍ରବେଶ କରି ନାହଁ, ଓ ଯେଉଁମାନେ ପ୍ରବେଶ କରିବାକୁ ଇଚ୍ଛୁକ ସେମାନଙ୍କୁ ବାଧା ଦେଇଛ।”

ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କଲାପରେ, ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ତାହାଙ୍କର ତୀବ୍ର ବିରୋଧ କଲେ ଏବଂ ତାଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିବାକୁ ଲାଗିଲେ, ପୁଣି କଥାରୁ ଛିଦ୍ର ଅନ୍ୱେଷଣ କରି ତାହାଙ୍କୁ ଧରିବା ପାଇଁ ଅପେକ୍ଷାରେ ରହିଲେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.