Biblica® Open Odia Contemporary Bible
ଯୋହନ 14
ଶିଷ୍ୟମାନଙ୍କ ପାଇଁ ଯୀଶୁଙ୍କର ସାନ୍ତ୍ଵନାବାଣୀ
“ତୁମ୍ଭମାନଙ୍କର ହୃଦୟ ଉଦ୍ବିଗ୍ନ ନ ହେଉ। ଈଶ୍ୱରଙ୍କଠାରେ ବିଶ୍ୱାସ ରଖ; ମୋ ଠାରେ ମଧ୍ୟ ବିଶ୍ୱାସ ରଖ। ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ନ ଥିଲେ, ମୁଁ ତୁମ୍ଭମାନଙ୍କୁ କହିଥାଆନ୍ତି ତୁମ୍ଭମାନଙ୍କନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ମୁଁ ସେଠାକୁ ଯାଉଛି? ମୁଁ ଯାଇ ତୁମ୍ଭମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କଲେ ଫେରି ଆସିବି, ଓ ମୁଁ ଯେଉଁଠାରେ ତୁମ୍ଭେମାନେ ମଧ୍ୟ ଯେପରି ସେହିଠାରେ ରହିବ ସେଥିପାଇଁ ମୋ ନିକଟକୁ ନେଇଯିବି। ମୁଁ ଯେଉଁ ସ୍ଥାନକୁ ଯାଉଛି ସେଠାକୁ ଯିବା ପଥ ତୁମ୍ଭେମାନେ ଜାଣିଛ।”
ଯୀଶୁ ପଥ, ସତ୍ୟ ଓ ଜୀବନ
ଥୋମା ତାଙ୍କୁ କହିଲେ, “ପ୍ରଭୁ, ଆପଣ କେଉଁଠାକୁ ଯାଉଛନ୍ତି ଆମେ ଜାଣି ନାହୁଁ, ତେଣୁ ପଥ ଜାଣିବୁ କିପରି?”
ଯୀଶୁ ଉତ୍ତର ଦେଲେ, “ମୁଁ ହିଁ ପଥ, ସତ୍ୟ ଓ ଜୀବନ। ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ତୁମେ ଯଦି ମୋତେ ପ୍ରକୃତରେ ଜାଣିଥାଆନ୍ତ, ତେବେ ମୋର ପିତାଙ୍କୁ ମଧ୍ୟ ଜାଣିଥାଆନ୍ତ। ଏବେଠାରୁ, ତୁମେ ତାହାଙ୍କୁ ଜାଣୁଛ ଓ ଦେଖିଛ।”
ଫିଲିପ କହିଲେ, “ପ୍ରଭୁ, ଆମକୁ ପିତାଙ୍କୁ ଦର୍ଶନ କରାନ୍ତୁ ଆମ ପାଇଁ ତାହା ହିଁ ଯଥେଷ୍ଟ।”
ଯୀଶୁ ଉତ୍ତର ଦେଲେ: “ଫିଲିପ, ମୁଁ ଏତେ କାଳ ତୁମମାନଙ୍କ ସଙ୍ଗରେ ରହିବା ପରେ ମଧ୍ୟ ମୋତେ ଚିହ୍ନିଲ ନାହିଁ? ଯିଏ ମୋତେ ଦେଖିଛି ସେ ପିତାଙ୍କୁ ଦେଖିଛି। ତା ହେଲେ, ଆମକୁ ପିତାଙ୍କୁ ‘ଦର୍ଶନ କରାନ୍ତୁ ବୋଲି କିପରି କହିପାରୁଛ’? ମୁଁ ଯେ ପିତାଙ୍କଠାରେ, ଓ ପିତା ମୋ ଠାରେ ଏହା କଅଣ ବିଶ୍ୱାସ କରୁ ନାହଁ? ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ବାକ୍ୟ କହେ ସେହିସବୁ ମୋ ନିଜର ନୁହେଁ। ବରଞ୍ଚ, ପିତା ହିଁ, ମୋ ଠାରେ ଥାଇ, ତାହାଙ୍କର କାର୍ଯ୍ୟ କରୁଛନ୍ତି। ମୁଁ ଯେତେବେଳେ କହୁଛି ଯେ ମୁଁ ପିତାଙ୍କଠାରେ ଓ ପିତା ମୋ ଠାରେ ଅଛନ୍ତି ମୋତେ ବିଶ୍ୱାସ କର; କିମ୍ବା ଅନ୍ତତଃ ଅଲୌକିକ କର୍ମଗୁଡ଼ିକ ସକାଶେ ବିଶ୍ୱାସ କର। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯାହା ଯାହା କରୁଛି ସେ ମଧ୍ୟ ସେହିସବୁ କରିବ, ସେ ଏହାଠାରୁ ଆହୁରି ମହତ୍ କାର୍ଯ୍ୟମାନ ମଧ୍ୟ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଛି। ତୁମ୍ଭେମାନେ ମୋ ନାମରେ ଯାହାକିଛି ମାଗିବ ମୁଁ ତାହା ସାଧନ କରିବି, ତା ହେଲେ ପୁତ୍ରଙ୍କ ଦ୍ଵାରା ପିତା ମହିମାନ୍ୱିତ ହେବେ। ମୋ ନାମରେ ତୁମର ଯାହା ଇଚ୍ଛା ତାହା ମୋତେ ମାଗି ପାର, ଏବଂ ମୁଁ ତାହା ସାଧନ କରିବି।
ପବିତ୍ରଆତ୍ମାଙ୍କ ବିଷୟରେ ପ୍ରତିଶ୍ରୁତି
“ତୁମ୍ଭେମାନେ ଯଦି ମୋତେ ପ୍ରେମ କର, ମୋର ଆଜ୍ଞା ପାଳନ କର। ପୁଣି ମୁଁ ପିତାଙ୍କୁ ନିବେଦନ କରିବି, ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ: ସେ ହେଉଛନ୍ତି ସତ୍ୟମୟ ଆତ୍ମା। ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ, କାରଣ ଜଗତ ତାହାଙ୍କୁ ଦେଖିନାହିଁ କି ଜାଣେ ନାହିଁ। କିନ୍ତୁ ତୁମ୍ଭେମାନେ ତାହାଙ୍କୁ ଜାଣ, କାରଣ ସେ ତୁମ୍ଭମାନଙ୍କ ସହିତ ଅଛନ୍ତି ଓ ତୁମ୍ଭମାନଙ୍କ ଅନ୍ତରରେ ରହିବେ। ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ; ମୁଁ ତୁମ୍ଭମାନଙ୍କ ନିକଟକୁ ଆସିବି। ଆଉ ଅଳ୍ପ ସମୟ ରହିଲା, ତା ପରେ ଜଗତ ମୋତେ ଆଉ ଦେଖିବ ନାହିଁ, କିନ୍ତୁ ତୁମ୍ଭେମାନେ ମୋତେ ଦେଖିବ। କାରଣ ମୁଁ ଜୀବିତ, ତେଣୁ ତୁମ୍ଭେମାନେ ମଧ୍ୟ ଜୀବିତ ରହିବ। ସେହିଦିନ ତୁମ୍ଭେମାନେ ବୁଝିବ ଯେ ମୁଁ ମୋ ପିତାଙ୍କଠାରେ ଅଛି, ଓ ତୁମ୍ଭେମାନେ ମୋ ଠାରେ ଅଛ, ଏବଂ ମୁଁ ତୁମଠାରେ ଅଛି। ଯେ ମୋର ଆଜ୍ଞାସବୁ ନେଇ ପାଳନ କରେ ସେ ହିଁ ମୋତେ ପ୍ରେମ କରେ। ଯେ ମୋତେ ପ୍ରେମ କରେ ମୋର ପିତା ତାକୁ ପ୍ରେମ କରିବେ, ଓ ମୁଁ ମଧ୍ୟ ତାକୁ ପ୍ରେମ କରି ତା ନିକଟରେ ନିଜକୁ ପ୍ରକାଶ କରିବି।”
ତତ୍ପରେ ଯିହୁଦା ଇଷ୍କାରିୟୋଥ ଯିହୁଦା ନୁହେଁ କହିଲେ, “ପ୍ରଭୁ, ଆପଣ ଜଗତ ନିକଟରେ ନିଜକୁ ପ୍ରକାଶନ କରି କେବଳ ଆମ ନିକଟରେ ନିଜକୁ ପ୍ରକାଶ କରିବାକୁ ଚାହୁଁଛନ୍ତି କାହିଁକି?”
ଯୀଶୁ ଉତ୍ତର ଦେଲେ, “କେହି ଯଦି ମୋତେ ପ୍ରେମ କରେ ତେବେ ସେ ମୋର ଶିକ୍ଷା ପାଳନ କରିବ। ମୋର ପିତା ତାକୁ ପ୍ରେମ କରିବେ, ଏବଂ ଆମ୍ଭେମାନେ ତା ନିକଟକୁ ଆସିବୁ ପୁଣି ତା ସହିତ ବାସ କରିବୁ। ଯେ ମୋତେ ପ୍ରେମ କରେ ନାହିଁ ସେ ମୋର ଶିକ୍ଷା ପାଳନ କରିବ ନାହିଁ। ତୁମେ ଏହି ଯେଉଁସବୁ ବାକ୍ୟ ଶୁଣୁଛ ସେହିସବୁ ମୋ ନିଜର ନୁହେଁ; ମାତ୍ର ମୋର ପ୍ରେରଣା କର୍ତ୍ତା ପିତାଙ୍କର।
“ମୁଁ ତୁମ୍ଭମାନଙ୍କ ସହିତ ଥାଉଁ ଥାଉଁ ଏସମସ୍ତ କଥା କହିଛି। କିନ୍ତୁ ଯେଉଁ ସାହାଯ୍ୟକାରୀଙ୍କୁ, ଅର୍ଥାତ୍ ପବିତ୍ରଆତ୍ମଙ୍କୁ, ପିତା ମୋ ନାମରେ ପଠାଇବେ, ସେ ତୁମ୍ଭମାନଙ୍କୁ ସବୁ ବିଷୟ ଶିଖାଇବେ ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଛି ସେହିସବୁ ସ୍ମରଣ କରାଇ ଦେବେ। ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଛି; ମୋ ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଛି। ଜଗତ ଯେପରି ଦିଏ ମୁଁ ତୁମ୍ଭମାନଙ୍କୁ ସେପରି ଦେଉ ନାହିଁ। ତୁମ୍ଭମାନଙ୍କର ହୃଦୟ ଉଦ୍ବିଗ୍ନ କିମ୍ବା ଭୟଭୀତ ନ ହେଉ।
“ମୁଁ ଯାଉଛି କିନ୍ତୁ ତୁମ୍ଭମାନଙ୍କ ନିକଟକୁ ପୁଣି ଆସିବି। ମୁଁ ଏହା କହିବାର ତୁମ୍ଭେମାନେ ଶୁଣିଛ, ଯଦି ମୋତେ ପ୍ରେମ କରୁଥାଅ, ତେବେ ମୁଁ ପିତାଙ୍କ ନିକଟକୁ ଯାଉଛି ବୋଲି ତୁମ୍ଭେମାନେ ଆନନ୍ଦିତ ହେବ, କାରଣ ପିତା ମୋ ଅପେକ୍ଷା ମହାନ୍। ତାହା ଘଟିବା ବେଳେ ତୁମ୍ଭେମାନେ ଯେପରି ବିଶ୍ୱାସ କରିବ, ଏଥିପାଇଁ ତାହା ଘଟିବା ପୂର୍ବରୁ ମୁଁ ଏବେଠାରୁ ତୁମ୍ଭମାନଙ୍କୁ ଜଣାଇ ଦେଲି। ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥା କହିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ମୋ ଉପରେ ତାହାର କୌଣସି କ୍ଷମତା ନାହିଁ, କିନ୍ତୁ ଜଗତ ଜାଣିବା ଉଚିତ ଯେ ମୁଁ ପିତାଙ୍କୁ ପ୍ରେମ କରେ ଓ ତାହାଙ୍କ ଆଜ୍ଞାନୁସାରେ କାର୍ଯ୍ୟ କରେ।
“ଏବେ ଆସ ଆମେ ଏଠାରୁ ଚାଲିଯିବା।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.