Skip to content
BibleKenya

Biblica® Open Odia Contemporary Bible

ଯୋହନ 12

ବେଥାନୀରେ ଯୀଶୁ ଅଭିଷିକ୍ତ ହେଲେ

ନିସ୍ତାର ପର୍ବର ଛଅଦିନ ପୂର୍ବରୁ, ଯୀଶୁ ବେଥାନୀରେ ଉପସ୍ଥିତ ହେଲେ, ଯେଉଁ ଲାଜାରଙ୍କୁ ସେ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ସେ ସେଠାରେ ରହୁଥିଲେ। ସେଠାରେ ଯୀଶୁଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜର ଆୟୋଜନ କରାଯାଇଥିଲା। ମାର୍ଥା ପରିବେଷଣ କରୁଥିଲେ, ଏବଂ ଯୀଶୁଙ୍କ ସହିତ ଯେଉଁମାନେ ଭୋଜନରେ ବସିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଲାଜାର। ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ଅତି ମୂଲ୍ୟବାନ୍, ବିଶୁଦ୍ଧ ଜଟାମାଂସୀର ସୁଗନ୍ଧି ତୈଳ ନେଇ; ଯୀଶୁଙ୍କର ପାଦରେ ଢାଳି ଦେଲେ ଏବଂ ନିଜ କେଶରେ ତାଙ୍କ ପାଦ ପୋଛି ଦେଲେ, ତୈଳର ସୁବାସରେ ଗୃହଟି ମହକି ଉଠିଲା।

କିନ୍ତୁ ଶିଷ୍ୟମାନଙ୍କ ମଧ୍ୟରୁ, ଯିହୁଦା ଇଷ୍କାରିୟୋଥ ନାମକ ଶିଷ୍ୟ, ଯେ କି ପରେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା, ସେ ପ୍ରତିବାଦ କରି କହିଲା, “ଏହି ସୁଗନ୍ଧି ତୈଳ ବିକ୍ରୀ କରି ଟଙ୍କାଟା ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି? ଏହାର ମୂଲ୍ୟ ତ ତିରିଶ ଦୀନାର।” ସେ ଯେ ଦରିଦ୍ରମାନଙ୍କ ପାଇଁ ଚିନ୍ତା କରୁଥିଲା ବୋଲି ଏହା କହିଲା ତା ନୁହେଁ କିନ୍ତୁ ସେ ଥିଲା ଚୋର; ଟଙ୍କାଥଳି ତା ଜିମାରେ ରହୁଥିବାରୁ, ସେଥିରେ ଯାହା ରଖା ଯାଉଥିଲା ତହିଁରୁ ସେ ନିଜ ପାଇଁ ନେଇ ଯାଉଥିଲା।

ଯୀଶୁ ଉତ୍ତର ଦେଲେ, “ତାକୁ ଛାଡ଼ି ଦିଅ,” ମୋର କବର ପ୍ରାପ୍ତି ଦିନ ପାଇଁ ସେ ଯେପରି ଏହି ସୁଗନ୍ଧତୈଳ ସଞ୍ଚି ରଖିବ ଏଥିନିମନ୍ତେ ଏହା ଉଦ୍ଦିଷ୍ଟ ଥିଲା। ତୁମମାନଙ୍କ ମଧ୍ୟରେ ଦରିଦ୍ର ଲୋକେ ତ ସର୍ବଦା ଥିବେ, ମାତ୍ର ମୁଁ ସର୍ବଦା ତୁମମାନଙ୍କ ପାଖେ ନ ଥିବି।

ଇତିମଧ୍ୟରେ ବହୁସଂଖ୍ୟକ ଯିହୁଦୀ ଲୋକ ଯୀଶୁ ସେଠାରେ ଅଛନ୍ତି ବୋଲି ଜାଣି ସେଠାକୁ ଗଲେ, ସେମାନେ କେବଳ ତାଙ୍କ ସକାଶେ ନୁହେଁ ମାତ୍ର ଯେଉଁ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଥିଲେ, ତାଙ୍କୁ ମଧ୍ୟ ଦେଖିବାକୁ ଗଲେ। ଅତଏବ ଲାଜାରଙ୍କୁ ମଧ୍ୟ ବଧ କରିବାକୁ ପ୍ରଧାନ ଯାଜକମାନେ ମନ୍ତ୍ରଣା କଲେ, କାରଣ ଲାଜାରଙ୍କ ସକାଶେ ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଯାଇ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ।

ଯୀଶୁଙ୍କର ବିଜୟ ଯାତ୍ରା

ପରବର୍ତ୍ତୀ ଦିନ ପର୍ବ ପାଳିବାକୁ ଆସିଥିବା ବହୁସଂଖ୍ୟକ ଲୋକ ଯୀଶୁ ଯିରୂଶାଲମକୁ ଆସୁଛନ୍ତି ବୋଲି ଶୁଣିଲେ। ସେମାନେ ଖଜୁରି ବାହୁଙ୍ଗା ଧରି ତାହାଙ୍କୁ ଭେଟିବାକୁ ଯିବା ବେଳେ, ଉଚ୍ଚସ୍ଵରରେ କହୁଥିଲେ,

“ହୋଶାନ୍ନା!”

“ପ୍ରଭୁଙ୍କ ନାମରେ ଯେ ଆସୁଛନ୍ତି ସେ ଧନ୍ୟ!”

“ଧନ୍ୟ! ଇସ୍ରାଏଲର ରାଜା!”

ଯୀଶୁ ଗୋଟିଏ ଗଧଛୁଆ ପାଇ ତା ଉପରେ ବସିଲେ, ଶାସ୍ତ୍ରରେ ଯେପରି ଲେଖାଅଛି:

“ଆଗୋ ସିୟୋନ କନ୍ୟା, ଭୟ କର ନାହିଁ;

ଦେଖ୍, ତୋର ରାଜା ଆସୁଛନ୍ତି,

ସେ ଗଧଛୁଆ ଉପରେ ବସି ଆସୁଛନ୍ତି।”

ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହିସବୁ କିଛି ବୁଝି ପାରିଲେ ନାହିଁ। ଯୀଶୁ ମହିମାନ୍ୱିତ ହେଲାପରେ ଏହିସବୁ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲିଖିତ ହୋଇଥିଲା ଓ ସେମାନେ ତାହାଙ୍କ ପ୍ରତି ସେସବୁ କରିଥିଲେ ତାହା ବୁଝିଲେ।

ଯୀଶୁ ଲାଜାରଙ୍କୁ ସମାଧି ମଧ୍ୟରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ବେଳେ ଯେଉଁମାନେ ତାହାଙ୍କ ସହିତ ଥିଲେ ସେମାନେ ଏହି କଥା ପ୍ରଚାର କରିବାକୁ ଲାଗିଲେ। ଯୀଶୁ ଏହି ଅଲୌକିକ କର୍ମ କରିଥିବା ବିଷୟ ଶୁଣିଥିବା ହେତୁ, ଅନେକ ଲୋକ, ତାଙ୍କୁ ଭେଟିବାକୁ ଯାଇଥିଲେ। ତେଣୁ ଫାରୂଶୀମାନେ ପରସ୍ପରକୁ କହିବାକୁ ଲାଗିଲେ, “ଦେଖୁଛ ତ, ତୁମେ କିଛି କରିପାରୁ ନାହଁ। ସାରା ଦୁନିଆଟା ତା ପଛରେ ଗଲାଣି!”

ଯୀଶୁଙ୍କର ମୃତ୍ୟୁ ବିଷୟରେ ପୂର୍ବସୂଚନା

ପର୍ବ ସମୟରେ ଉପାସନା କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ କେତେକ ଗ୍ରୀକ ଲୋକ ଥିଲେ। ସେମାନେ ଗାଲିଲୀର ବେଥ୍‌ସାଇଦା ନିବାସୀ, ଫିଲିପଙ୍କ ନିକଟକୁ ଯାଇ, ଅନୁରୋଧ କରି କହିଲେ। “ମହାଶୟ,” ଆମେ ଯୀଶୁଙ୍କୁ ଦେଖିବାକୁ ଇଚ୍ଛା କରୁଛୁ। ଫିଲିପ ଯାଇ ଆନ୍ଦ୍ରିୟଙ୍କୁ କହିଲେ; ତା ପରେ ଆନ୍ଦ୍ରିୟ ଓ ଫିଲିପ ଯାଇ ଯୀଶୁଙ୍କୁ କହିଲେ।

ଯୀଶୁ ଉତ୍ତର ଦେଲେ, “ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ସମୟ ଆସିଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗହମ ଦାନାଟିଏ ଭୂମିରେ ପଡ଼ି ଯଦି ନ ମରେ, ତାହା ଗୋଟିଏମାତ୍ର ହୋଇ ରହିଥାଏ। କିନ୍ତୁ ଯଦି ମରେ, ତେବେ ଅନେକ ବୀଜ ଉତ୍ପନ୍ନ କରେ। ଯେକେହି ନିଜ ଜୀବନକୁ ପ୍ରିୟଜ୍ଞାନ କରେ ସେ ତାହା ହରାଇବ, କିନ୍ତୁ ଯେକେହି ଏହି ଜଗତରେ ନିଜ ଜୀବନକୁ ହେୟଜ୍ଞାନ କରେ ସେ ତାହା ଅନନ୍ତଜୀବନ ନିମନ୍ତେ ରକ୍ଷା କରିବ। ଯେକେହି ମୋର ସେବା କରେ ସେ ମୋର ଅନୁଗମନ କରୁ; ପୁଣି ମୁଁ ଯେଉଁଠାରେ, ମୋର ସେବକ ମଧ୍ୟ ସେହିଠାରେ ରହିବ। ଯେ ମୋର ସେବା କରେ ମୋର ପିତା ତାହାକୁ ସମ୍ମାନିତ କରିବେ।

“ଏବେ ମୋର ହୃଦୟ ବ୍ୟଥିତ ହେଉଛି, ଓ ମୁଁ କଅଣ କହିବି? ‘ପିତା, ଏହି ସମୟରୁ ମୋତେ ଉଦ୍ଧାର କର’? ନା, ମୁଁ ତ ଏହି ଉଦ୍ଦେଶ୍ୟରେ ଏହି ସମୟ ପାଇଁ ଆସିଛି। ହେ ପିତା, ତୁମ୍ଭ ନାମକୁ ମହିମାନ୍ୱିତ କର!”

ତତ୍ପରେ ଆକାଶରୁ ଏହି ବାଣୀ ହେଲା, “ମୁଁ ମହିମାନ୍ୱିତ କରିଛି, ଓ ପୁନର୍ବାର ମହିମାନ୍ୱିତ କରିବି।” ସେଠାରେ ଉପସ୍ଥିତ ଲୋକସମୂହ ତାହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ ଯେ ଜଣେ ସ୍ଵର୍ଗଦୂତ ତାହାଙ୍କ ସଙ୍ଗେ କଥା କହିଲେ।

ଯୀଶୁ କହିଲେ, “ଏହି ବାଣୀ ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ, ମୋ ପାଇଁ ନୁହେଁ। ଏହି ଜଗତର ବିଚାରର ସମୟ ବର୍ତ୍ତମାନ ଆସିଛି; ଏବେ ଏହି ଜଗତର ଅଧିପତି ବିତାଡ଼ିତ ହେବ। କିନ୍ତୁ ମୋତେ, ଭୂମିରୁ ଉପରକୁ ଉଠାଗଲେ, ମୁଁ ସମସ୍ତଙ୍କୁ ମୋ ନିକଟକୁ ଆକର୍ଷଣ କରିବି।” ଏହା କହିବା ଦ୍ଵାରା ସେ କି ପ୍ରକାର ମୃତ୍ୟୁବରଣ କରିବାକୁ ଯାଉଛନ୍ତି, ତାହା ଦର୍ଶାଇଥିଲେ।

ଲୋକମାନେ କହିଲେ, “ଖ୍ରୀଷ୍ଟ ଚିରକାଳ ରହିବେ ବୋଲି ଆମେ ବିଧିବ୍ୟବସ୍ଥାରୁ ଜାଣିଛୁ, ତେଣୁ ‘ମନୁଷ୍ୟପୁତ୍ର ଊର୍ଦ୍ଧ୍ୱକୁ ଉଠାଯିବେ ବୋଲି ତୁମେ କିପରି କହୁଛ’? ଏହି ‘ମନୁଷ୍ୟପୁତ୍ର କିଏ’?”

ଏଉତ୍ତାରେ ଯୀଶୁ ସେମାନଙ୍କୁ କହିଲେ, “ଆଉ ଅଳ୍ପକାଳ ପାଇଁ ତୁମ୍ଭେମାନେ ଆଲୋକ ପାଇବ। ଅନ୍ଧକାର ତୁମକୁ ଆଚ୍ଛନ୍ନ କରିବା ପୂର୍ବରୁ, ଜ୍ୟୋତି ଥାଉଁ ଥାଉଁ ତହିଁରେ ଗମନାଗମନ କର। ଯେଉଁ ମନୁଷ୍ୟ ଅନ୍ଧକାରରେ ଚାଲେ ସେ କେଉଁଆଡ଼େ ଯାଉଛି ଜାଣେ ନାହିଁ। ତୁମ ନିକଟରେ ଜ୍ୟୋତି ଥାଉଁ ଥାଉଁ ଜ୍ୟୋତିରେ ବିଶ୍ୱାସ କର, ଯେପରି ତୁମ୍ଭେମାନେ ଜ୍ୟୋତିର ସନ୍ତାନ ହୋଇପାରିବ।” ଯୀଶୁ ଏହା କହିସାରିଲା ପରେ, ସେଠାରୁ ପ୍ରସ୍ଥାନ କରି ସେମାନଙ୍କଠାରୁ ଗୋପନରେ ରହିଲେ।

ଲୋକମାନଙ୍କର ଅବିଶ୍ୱାସ ଓ ବିଶ୍ୱାସ

ଯୀଶୁ ଏହିସମସ୍ତ ଅଲୌକିକ କର୍ମ ସେମାନଙ୍କ ସାକ୍ଷାତରେ କରିଥିଲେ ସୁଦ୍ଧା, ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ ନାହିଁ। ଏହା ଘଟିଲା ଯେପରି ଭାବବାଦୀ ଯିଶାଇୟଙ୍କ ଏହି ବାକ୍ୟ ସଫଳ ହେବ:

“ହେ ପ୍ରଭୁ, କିଏ ଆମ ବାର୍ତ୍ତା ବିଶ୍ୱାସ କରିଅଛି

ଏବଂ କାହା ନିକଟରେ ପ୍ରଭୁଙ୍କର ବାହୁ ପ୍ରକାଶିତ ହୋଇଅଛି?”

ସେମାନେ ଏହି କାରଣରୁ ବିଶ୍ୱାସ କରିପାରିଲେ ନାହିଁ, ଯେହେତୁ, ଯିଶାଇୟ ଅନ୍ୟତ୍ର ଏହିପ୍ରକାର କହିଅଛନ୍ତି:

“ସେ ସେମାନଙ୍କ ଚକ୍ଷୁ ଅନ୍ଧ କରିଅଛନ୍ତି

ଓ ସେମାନଙ୍କ ହୃଦୟ ଜଡ଼ କରିଅଛନ୍ତି,

ଯଦ୍ଦ୍ୱାରା ସେମାନେ ଆଖିରେ ଦେଖିବେ ନାହିଁ,

କି ହୃଦୟରେ ବୁଝିବେ ନାହିଁ,

କିମ୍ବା ମୁଁ ଯେପରି ସେମାନଙ୍କୁ ସୁସ୍ଥ କରିବି ଏଥିପାଇଁ ଫେରିବେ ନାହିଁ।”

ଯିଶାଇୟ ଏହା ବ୍ୟକ୍ତ କରିଥିଲେ କାରଣ ସେ ଯୀଶୁଙ୍କର ମହିମା ଦର୍ଶନ କରି ତାହାଙ୍କ ସମ୍ବନ୍ଧରେ କହିଥିଲେ।

ଏହାସତ୍ତ୍ୱେ ଅନେକେ ଏପରିକି ନେତୃବର୍ଗଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ଫାରୂଶୀମାନଙ୍କ ସକାଶେ ସେମାନେ ନିଜର ବିଶ୍ୱାସମତ ସ୍ୱୀକାର କରୁ ନ ଥିଲେ କାରଣ କାଳେ ସମାଜଚ୍ୟୁତ ହେବେ ବୋଲି ସେମାନେ ଭୟ କରୁଥିଲେ; ଯେହେତୁ ସେମାନେ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବା ଅପେକ୍ଷା ମନୁଷ୍ୟଠାରୁ ପ୍ରଶଂସା ପାଇବାକୁ ଅଧିକ ଭଲ ପାଇଲେ।

ଏହାପରେ ଯୀଶୁ ଉଚ୍ଚସ୍ଵରରେ କହିଲେ, “ଯେ ମୋ ଠାରେ ବିଶ୍ୱାସ କରେ ସେ ଯେ କେବଳ ମୋ ଠାରେ ବିଶ୍ୱାସ କରେ ତାହା ନୁହେଁ, ମାତ୍ର ସେ ମୋର ପ୍ରେରଣକର୍ତ୍ତାଙ୍କଠାରେ ବିଶ୍ୱାସ କରେ। ସେ ଯେତେବେଳେ ମୋତେ ଦେଖେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଦେଖେ। ଯେ ମୋ ଠାରେ ବିଶ୍ୱାସ କରେ ସେ ଯେପରି ଅନ୍ଧକାରରେ ନ ରହେ, ଏଥିପାଇଁ ମୁଁ ଜ୍ୟୋତି ସ୍ଵରୂପେ ଜଗତକୁ ଆସିଛି।

“ଯେଉଁ ମନୁଷ୍ୟ ମୋର ବାକ୍ୟସବୁ ଶୁଣି ସୁଦ୍ଧା ପାଳନ କରେ ନାହିଁ, ତାହାର ବିଚାର ମୁଁ କରେ ନାହିଁ। କାରଣ ମୁଁ ଜଗତର ବିଚାର କରିବାକୁ ଆସି ନାହିଁ, ବରଂ ଜଗତକୁ ଉଦ୍ଧାର କରିବାକୁ ଆସିଛି। ଯେ ମୋତେ ପ୍ରତ୍ୟାଖ୍ୟାନ କରେ ଓ ମୋର ବାକ୍ୟ ଗ୍ରହଣ କରେ ନାହିଁ; ତା ନିମନ୍ତେ ଏକ ବିଚାରକ ଅଛି, ମୁଁ କହିଥିବା ବାକ୍ୟ ହିଁ ଅନ୍ତିମ ଦିବସରେ ତାକୁ ଦୋଷୀ ସାବ୍ୟସ୍ତ କରିବ। କାରଣ ମୁଁ ମୋ ନିଜ ଇଚ୍ଛାରୁ କଥା କହି ନାହିଁ, କିନ୍ତୁ କଣ କହିବାକୁ ହେବ ଓ କିପରି କହିବାକୁ ହେବ ସେହି ବିଷୟରେ ମୋର ପ୍ରେରଣକର୍ତ୍ତା ପିତା ମୋତେ ଆଦେଶ ଦେଇଛନ୍ତି। ତାହାଙ୍କର ଆଜ୍ଞା ଯେ ଅନନ୍ତ ଜୀବନକୁ ପଥ କଢ଼ାଇ ନିଏ। ଏହା ମୁଁ ଜାଣେ। ତେଣୁ ପିତା ମୋତେ ଯାହା କହିବାକୁ କହିଛନ୍ତି ମୁଁ ଠିକ ତାହା ହିଁ କହେ।”

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.