Skip to content
BibleKenya

Biblica® Open Odia Contemporary Bible

ଏବ୍ରୀ 9

ସେହି ପ୍ରଥମ ଚୁକ୍ତିରେ ଉପାସନା ସମ୍ଭନ୍ଧୀୟ ନାନା ବିଧିବିଧାନ ଓ ଏକ ପାଥିବ ପୁଣ୍ୟଧାମ ମଧ୍ୟ ଥିଲା। ଏକ ତମ୍ବୁମନ୍ଦିର ସ୍ଥାପିତ ହୋଇଥିଲା। ଏହାର ପ୍ରଥମ ପ୍ରକୋଷ୍ଠରେ ଥିଲା ଦୀପାଧାର ମେଜ ଏବଂ ତହିଁ ଉପରେ ଦର୍ଶନୀୟ ରୋଟୀ; ଏହାକୁ ପବିତ୍ରସ୍ଥାନ କୁହାଯାଉଥିଲା। ଦ୍ୱିତୀୟ ପର୍ଦାର ଅନ୍ତରାଳରେ ଏକ ପ୍ରକୋଷ୍ଠ ଥିଲା ତାହାକୁ ମହାପବିତ୍ରସ୍ଥାନ କୁହାଯାଉଥିଲା, ଏହା ମଧ୍ୟରେ ଥିଲା ସୁବର୍ଣ୍ଣ ଧୂପବେଦି ଏବଂ ସୁବର୍ଣ୍ଣମଣ୍ଡିତ ନିୟମସିନ୍ଦୁକ। ଏହି ସିନ୍ଦୁକରେ ଥିଲା ମାନ୍ନା ଥିବା ସୁବର୍ଣ୍ଣପାତ୍ର, ପଲ୍ଲବିତ ହୋଇଥିବା ହାରୋଣଙ୍କ ଯଷ୍ଟି, ଏବଂ ନିୟମ ସମ୍ୱଳିତ ପ୍ରସ୍ତରଫଳକ ଦ୍ଵୟ ଗୁଡିକ। ନିୟମସିନ୍ଦୁକ ଉପରେ ଗୌରବସୂଚକ କିରୂବ ଦୂତର ପ୍ରତିମୂର୍ତ୍ତି ଦ୍ଵୟ ଥିଲା, ସେମାନେ ପକ୍ଷ ବିସ୍ତାର କରି ପ୍ରାୟଶ୍ଚିତ୍ତ ଆବରଣ (ଦୟା ସିଂହାସନ) କୁ ଆବୋରି ରଖିଥିଲେ। କିନ୍ତୁ ଏବେ ଆମେ ଏହିସବୁ ବିଷୟର ସବିଶେଷ ଆଲୋଚନା କରିପାରିବା ନାହିଁ।

ଏହିପରି ଭାବରେ ସବୁକିଛି ସଜ୍ଜିତ ହେଲା ଉତ୍ତାରେ, ଯାଜକମାନେ ନିଜ ନିଜର ସେବାକାର୍ଯ୍ୟ ସମ୍ପନ୍ନ କରିବାକୁ ନିୟମିତଭାବେ ପ୍ରଥମ ପ୍ରକୋଷ୍ଠରେ ପ୍ରବେଶ କରୁଥିଲେ। କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠରେ କେବଳ ମହାଯାଜକ ପ୍ରବେଶ କରୁଥିଲେ, ତାହା ମଧ୍ୟ ବର୍ଷକୁ ଥରେମାତ୍ର ଓ ସଙ୍ଗରେ ରକ୍ତ ନ ନେଇ ପ୍ରବେଶ କରୁ ନ ଥିଲେ, ଏହି ରକ୍ତ ସେ ନିଜ ପାଇଁ ଏବଂ ଲୋକଙ୍କର ଅଜ୍ଞାନକୃତ ପାପ ପାଇଁ ଉତ୍ସର୍ଗ କରୁଥିଲେ। ଏହା ଦ୍ଵାରା ପବିତ୍ରଆତ୍ମା ଦର୍ଶାଉଥିଲେ ଯେ ପ୍ରଥମ ସମାଗମତମ୍ବୁ ମନ୍ଦିର ରହିଥିବା ଯାଏ ମହାପବିତ୍ର ସ୍ଥାନକୁ ପ୍ରବେଶ କରିବା ପଥ ପ୍ରକାଶିତ ହୋଇ ନ ଥିଲା। ବର୍ତ୍ତମାନ କାଳ ପାଇଁ ଏହା ଏକ ନିଦର୍ଶନ, ଏହା ସୂଚାଇ ଦିଏ ଯେ ଯେଉଁସବୁ ନୈବେଦ୍ୟ ଓ ବଳି ଉତ୍ସର୍ଗ କରାଯାଏ ସେହିସବୁ ଉପାସକର ବିବେକକୁ ନିର୍ମଳ କରିପାରେ ନାହିଁ। ଏଗୁଡ଼ିକ କେବଳ ଖାଦ୍ୟ ପେୟ ଓ ନାନାଦି ଆନୁଷ୍ଠାନିକ ପ୍ରକ୍ଷାଳନ ସମ୍ଭନ୍ଧୀୟ ବାହ୍ୟିକ ବିଧିବିଧାନ ଓ ନୂତନ ବ୍ୟବସ୍ଥାର ସମୟ ପର୍ଯ୍ୟନ୍ତ ପ୍ରଚଳିତ।

ଯେଉଁ ଉତ୍ତମ ବିଷୟସବୁ ଆସି ସାରିଲାଣି, ଖ୍ରୀଷ୍ଟ ତାହାର ମହାଯାଜକ ରୂପେ ଆସିଲେ, ଯାହା ମନୁଷ୍ୟ ଦ୍ଵାରା ନିର୍ମିତ ନୁହେଁ, ଅର୍ଥାତ୍ ଯାହା ଏ ସୃଷ୍ଟିର ଅନ୍ତର୍ଭୁକ୍ତ ନୁହେଁ ସେ ଏପରି ଏକ ମହତ୍ତର ଓ ସିଦ୍ଧତର ତମ୍ବୁମନ୍ଦିର ମଧ୍ୟଦେଇ ଗଲେ। ସେ ଛାଗ ଓ ଗୋବତ୍ସର ରକ୍ତ ନ ନେଇ; ନିଜର ରକ୍ତ ଦ୍ଵାରା ଅନନ୍ତ ମୁକ୍ତି ସାଧନ କରି, ମହାପବିତ୍ର ସ୍ଥାନରେ ଏକାଥରକେ ପ୍ରବେଶ କଲେ। ଯେଉଁମାନେ ଆନୁଷ୍ଠାନିକଭାବେ ଅଶୁଚି ସେମାନଙ୍କ ଉପରେ ଛାଗ ଓ ବୃଷର ରକ୍ତ ଏବଂ ଗାଭୀର ଭସ୍ମ ଛିଞ୍ଚିବା ଦ୍ଵାରା ସେମାନେ ବାହ୍ୟିକଭାବେ ଶୁଚି ହୁଅନ୍ତି। ତା ହେଲେ ଖ୍ରୀଷ୍ଟ, ଯେ କି ଚିରନ୍ତନ ଆତ୍ମାଙ୍କ ଦ୍ଵାରା, ଆପଣାକୁ ନିଖୁନ୍ତ ବଳି ରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ଭାବରେ ନିତ୍ୟଜୀବୀ ଈଶ୍ୱରଙ୍କ ସେବା କରିବାକୁ, ମୃତ୍ୟୁଜନକ କ୍ରିୟାକର୍ମରୁ, ଆମର ବିବେକକୁ ନିର୍ମଳ ନ କରିବ!

ଏହି କାରଣରୁ ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଟନ୍ତି, ତାହାହେଲେ ଯେଉଁମାନେ ଆହୂତ ସେମାନେ ପ୍ରତିଜ୍ଞାତ ଚିରସ୍ଥାୟୀ ଅଧିକାର ଲାଭ କରିବେ କାରଣ ପ୍ରଥମ ନିୟମର ଅଧୀନରେ ରହି ସେମାନେ ଯେଉଁସବୁ ପାପ କରିଥିଲେ ସେଥିରୁ ମୁକ୍ତ କରିବାକୁ ସେ ପ୍ରାୟଶ୍ଚିତ ବଳି ସ୍ଵରୂପେ ମୃତ୍ୟୁବରଣ କଲେ।

ଉଇଲ୍ କ୍ଷେତ୍ରରେ, ଉଇଲ୍ କରିଥିବା ବ୍ୟକ୍ତିର ମୃତ୍ୟୁ ପ୍ରମାଣ କରିବା ଆବଶ୍ୟକ ହୁଏ, କାରଣ କେବଳ ମୃତ୍ୟୁ ପରେ ଉଇଲ୍ କାର୍ଯ୍ୟକାରୀ ହୁଏ; ଉଇଲ୍ କରିଥିବା ବ୍ୟକ୍ତି ଜୀବିତଥିବା ପର୍ଯ୍ୟନ୍ତ ତାହା କେବେ କାର୍ଯ୍ୟକାରୀ ହୁଏ ନାହିଁ। ସେହିହେତୁ ପ୍ରଥମ ଚୁକ୍ତି ମଧ୍ୟ ରକ୍ତ ବିନା ପ୍ରଚଳିତ କରାଯାଇ ପାରି ନ ଥିଲା। ମୋଶା ବିଧିବ୍ୟବସ୍ଥାର ପ୍ରତ୍ୟେକ ଆଜ୍ଞା ଲୋକମାନଙ୍କ ନିକଟରେ ଘୋଷଣା କଲାପରେ ଜଳ, ଲାଲବର୍ଣ୍ଣର ପଶମ ଓ ହିସପ୍‌ଗୁଚ୍ଛ ସହ, ଗୋବତ୍ସ ଓ ଛାଗର ରକ୍ତକୁ ନେଇ, ବ୍ୟବସ୍ଥାପୁସ୍ତକ ଓ ସବୁ ଲୋକଙ୍କ ଉପରେ ସେଚନ କଲେ। ସେ କହିଥିଲେ, “ଯେଉଁ ନିୟମ ପାଳନ କରିବାକୁ ଈଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି, ଏହା ହେଉଛି ସେହି ନିୟମର ରକ୍ତ।” ଏହିରୂପେ, ସେ ସେହି ରକ୍ତକୁ ସମାଗମତମ୍ବୁ ମନ୍ଦିର ଉପରେ ଏବଂ ଉପାସନା ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ ଉପରେ ସେଚନ କଲେ। ପ୍ରକୃତରେ, ବିଧିବ୍ୟବସ୍ଥା ଅନୁସାରେ ପ୍ରାୟ ସବୁକିଛି ରକ୍ତ ଦ୍ଵାରା ପବିତ୍ରୀକୃତ ହେବା ଆବଶ୍ୟକ, ଏବଂ ରକ୍ତପାତ ବିନା ପାପମୋଚନ ନାହିଁ।

ଏହିରୂପେ, ଯାହାସବୁ ସ୍ଵର୍ଗୀୟ ବିଷୟଗୁଡ଼ିକର ପ୍ରତିଛବି, ସେହିଗୁଡ଼ିକ ଏହିସବୁ ବଳିଦାନ ଦ୍ଵାରା ପବିତ୍ରୀକୃତ ହେବା ପ୍ରୟୋଜନ ଥିଲା, କିନ୍ତୁ ସେହିସ୍ଵର୍ଗୀୟ ବିଷୟଗୁଡ଼ିକ ଉତ୍କୃଷ୍ଟତର ବଳିଦାନ ଦ୍ଵାରା ପବିତ୍ରୀକୃତ ହେବା ଆବଶ୍ୟକ ଥିଲା। କାରଣ ଯାହା ପ୍ରକୃତ ବିଷୟର ପ୍ରତିଛବି, ଏପରି ମନୁଷ୍ୟ ନିର୍ମିତ କୌଣସି ଧର୍ମଧାମରେ ଖ୍ରୀଷ୍ଟ ପ୍ରବେଶ କରିନାହାନ୍ତି; ମାତ୍ର ଆମ ତରଫରୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ, ସ୍ଵର୍ଗରେ ହିଁ ପ୍ରବେଶ କରିଅଛନ୍ତି। ଆହୁରି ମଧ୍ୟ ଯେଉଁ ରକ୍ତ ମହାଯାଜକଙ୍କ ନିଜର ନୁହେଁ ସେହି ରକ୍ତ ନେଇ ସେ ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, କିନ୍ତୁ ଖ୍ରୀଷ୍ଟ ଥରକୁ ଥର ନିଜକୁ ଉତ୍ସର୍ଗ କରିବାକୁ ସ୍ଵର୍ଗରେ ପ୍ରବେଶ କରିନାହାନ୍ତି। ତାହା ହୋଇଥିଲେ, ଜଗତର ସୃଷ୍ଟି କାଳରୁ ଖ୍ରୀଷ୍ଟଙ୍କୁ ଅନେକଥର ଦୁଃଖଭୋଗ କରିବାକୁ ହୋଇଥାଆନ୍ତା। କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରି ପାପର ଦୂରୀକରଣ ପାଇଁ ଥରେମାତ୍ର ପ୍ରକାଶିତ ହେଲେ। ମନୁଷ୍ୟ ଯେପରି ଥରେମାତ୍ର ମୃତ୍ୟୁଭୋଗ କରିବାକୁ, ଏବଂ ତା ପରେ ବିଚାରର ସମ୍ମୁଖୀନ ହେବାକୁ ନିରୂପିତ ହୋଇଅଛି, ଖ୍ରୀଷ୍ଟ ସେହିପରି ଅନେକଙ୍କ ପାପ ବହିନେବାକୁ ଥରେମାତ୍ର ନିଜକୁ ବଳି କଲେ, ସେ ଦ୍ୱିତୀୟ ଥର ପ୍ରକାଶିତ ହେବେ କିନ୍ତୁ ପାପ ବହନ କରିବାକୁ ନୁହେଁ, ମାତ୍ର ତାହାଙ୍କ ଅପେକ୍ଷାରେ ରହିଥିବା ଲୋକଙ୍କର ପରିତ୍ରାଣ ନିମନ୍ତେ ପ୍ରକାଶିତ ହେବେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.