Biblica® Open Odia Contemporary Bible
ଏବ୍ରୀ 7
ରାଜା ଓ ଯାଜକ ମଲ୍କୀଷେଦକ
ଏହି ମଲ୍କୀଷେଦକ ଶାଲେମର ରାଜା ଏବଂ ସର୍ବୋପରିସ୍ଥ ଈଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାସ୍ତ କରି ଫେରୁଥିବା ସମୟରେ ସେ ଅବ୍ରହାମଙ୍କ ସହ ସାକ୍ଷାତ କରି ଆଶୀର୍ବାଦ କରିଥିଲେ, ପୁଣି, ଅବ୍ରହାମ ତାହାଙ୍କୁ ସବୁ କିଛିର ଦଶମାଂଶ ଦେଇଥିଲେ। ତାଙ୍କ ନାମର ଅର୍ଥ ପ୍ରଥମତଃ, “ଧର୍ମରାଜା”; ତା ପରେ, “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିରାଜା।” ତାଙ୍କର ପିତା କି ମାତା, କିମ୍ବା ବଂଣାବଳୀ ବିଷୟରେ, କିମ୍ବା ଜୀବନର ଆଦି ଓ ଅନ୍ତ ବିଷୟରେ କିଛି ଉଲ୍ଲେଖ ନାହିଁ, ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ, ଚିରକାଳୀନ ଯାଜକ ହୋଇ ରହିଅଛନ୍ତି।
ଭାବି ଦେଖ ସେ କେଡ଼େ ମହାନ୍ ଥିଲେ, ପିତୃପ୍ରଧାନ ଅବ୍ରହାମ ସୁଦ୍ଧା ତାଙ୍କୁ ଲୁଣ୍ଠିତ ଦ୍ରବ୍ୟର ଦଶମାଂଶ ଦେଇଥିଲେ! ଲେବୀଙ୍କ ବଂଶଧରମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକ ହୁଅନ୍ତି, ବିଧିବ୍ୟବସ୍ଥାର ଦାବୀ ଅନୁସାରେ ସେମାନେ ଲୋକମାନଙ୍କ ଅର୍ଥାତ୍ ସେମାନଙ୍କ ଭ୍ରାତୃଗଣଙ୍କ ନିକଟରୁ ଦଶମାଂଶ ଦାନ ଗ୍ରହଣ କରନ୍ତି ଅଥଚ ସେମାନଙ୍କ ଭ୍ରାତୃଗଣ ଅବ୍ରହାମଙ୍କ ବଂଶଜାତ ହେଲେ ମଧ୍ୟ ତାହା ଗ୍ରହଣ କରନ୍ତି। କିନ୍ତୁ, ଏହି ବ୍ୟକ୍ତି, ଲେବୀବଂଶୀୟ ନ ହୋଇ ସୁଦ୍ଧା, ଅବ୍ରହାମଙ୍କ ନିକଟରୁ ଦଶମାଂଶ ଦାନ ଗ୍ରହଣ କଲେ ଓ ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କଲେ। ଯିଏ ସାନ, ସେ ବଡ଼ଠାରୁ ଆଶୀର୍ବାଦ ପାଏ ଏଥିରେ ସନ୍ଦେହ ନାହିଁ। ଏକ ପକ୍ଷରେ, ଦଶମାଂଶ ଦାନ ଗ୍ରହଣ କରୁଥିବା ଲୋକେ ମରଣଶିଳ; କିନ୍ତୁ ଅନ୍ୟ ପକ୍ଷରେ, ଦଶମାଂଶ ଦାନ ଗ୍ରହଣ କରୁଥିବା ଏହି ବ୍ୟକ୍ତିଙ୍କ ସମ୍ବନ୍ଧରେ କୁହାଯାଏ ଯେ ସେ ଅମର। ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଦଶମାଂଶ ଗ୍ରହଣ କରୁଥିବା ଲେବୀ, ଅବ୍ରହାମଙ୍କ ମାଧ୍ୟମରେ ଦଶମାଂଶ ଦାନ ଦେଇଥିଲେ, କାରଣ ମଲ୍କୀଷେଦକ ଅବ୍ରହାମଙ୍କୁ ସାକ୍ଷାତ କଲାବେଳେ, ଲେବୀ ତାଙ୍କ ପିତୃପୁରୁଷଙ୍କ ଶରୀରରେ ଥିଲେ।
ମଲ୍କୀଷେଦକଙ୍କ ସଦୃଶ ଯୀଶୁ
ଲେବୀୟ ଯାଜକତ୍ଵ ଦ୍ଵାରା ଯଦି ସିଦ୍ଧିଲାଭ ସମ୍ଭବ ହୋଇଥାଆନ୍ତା, କାରଣ ଏହାକୁ ଭିତ୍ତି କରି ଲୋକମାନଙ୍କୁ ବିଧିବ୍ୟବସ୍ଥା ପ୍ରଦତ୍ତ ହୋଇଥିଲ, ତେବେ ହାରୋଣଙ୍କ ପଦବିଶିଷ୍ଟ ଯାଜକ ନ ହୋଇ, ମଲ୍କୀଷେଦକଙ୍କ ପଦବିଶିଷ୍ଟ ଅନ୍ୟ ଜଣେ ଯାଜକଙ୍କ ଆସିବାର କି ପ୍ରୟୋଜନ ଥିଲା? ଯାଜକତ୍ଵର ପରିବର୍ତ୍ତନ ହେଲେ, ବିଧିବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ହେବା ଉଚିତ୍। ଯାହାଙ୍କ ବିଷୟରେ ଏହିସବୁ କୁହାଯାଉଛି, ସେ ଅନ୍ୟ ଏକ ଗୋଷ୍ଠୀର ଥିଲେ ଏବଂ ସେହି ଗୋଷ୍ଠୀରୁ କେହି କେବେ ବେଦିରେ ସେବାକାର୍ଯ୍ୟ କରିନାହାନ୍ତି। କାରଣ ଏହା ସୁସ୍ପଷ୍ଟ ଯେ ଆମର ପ୍ରଭୁ ଯିହୁଦାଗୋଷ୍ଠୀରୁ ଜାତ ହୋଇଥିଲେ, ଏବଂ ସେହି ଗୋଷ୍ଠୀରୁ ଯାଜକ ହେବା ସମ୍ବନ୍ଧରେ ମୋଶା କିଛି କହିନାହାନ୍ତି। ଆମର କଥା ଅଧିକ ସୁସ୍ପଷ୍ଟ ହୁଏ ଯଦି ମଲ୍କୀଷେଦକଙ୍କ ସଦୃଶ ଆଉ ଜଣେ ଯାଜକଙ୍କ ଆବିର୍ଭାବ ହୁଏ, ଏହି ଯାଜକ ବଂଶଗତ ନିୟମର ଭିତ୍ତିରେ ଯାଜକ ନ ହୋଇ ଏକ ଅବିନଶ୍ୱର ଜୀବନର ପରାକ୍ରମ ଭିତ୍ତିରେ ଯାଜକ ହୋଇଅଛନ୍ତି। କାରଣ ଏହା କୁହାଯାଇଛି:
“ତୁମ୍ଭେ ମଲ୍କୀଷେଦକଙ୍କ ପଦବିଶିଷ୍ଟ,
ଚିରକାଳୀନ ଯାଜକ।”
ପୂର୍ବତନ ଆଜ୍ଞା ଶକ୍ତିହୀନ ଓ ନିଷ୍ଫଳ ହେବାରୁ ତାହାକୁ ରଦ୍ କରାଗଲା କାରଣ ବିଧିବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ପାରିଲା ନାହିଁ, ଏବଂ ଏକ ଉତ୍କୃଷ୍ଟତର ଭରସା ପ୍ରବର୍ତ୍ତିତ ହୋଇଅଛି, ଯାହା ଦ୍ଵାରା ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ପାରୁଅଛୁ।
ପୁଣି ଏହା ଯେ ବିନା ଶପଥରେ ହୋଇଥିଲା! ତାହା ନୁହେଁ, ଅନ୍ୟମାନେ ବିନା ଶପଥରେ ଯାଜକ ହେଲେ କିନ୍ତୁ ସେ ଶପଥ ସହ ଯାଜକ ହେଲେ କାରଣ ଈଶ୍ୱର ତାହାଙ୍କୁ କହିଥିଲେ:
“ତୁମ୍ଭେ ଚିରକାଳୀନ ଯାଜକ
ଏହା ପ୍ରଭୁ ଶପଥ କରିଅଛନ୍ତି:
‘ଏବଂ ସେ ଅନ୍ୟଥା କରିବେ ନାହିଁ।’ ”
ଏହି ଶପଥ ହେତୁ, ଯୀଶୁ ଏକ ଉତ୍କୃଷ୍ଟତର ଚୁକ୍ତିର ଜାମିନ୍ଦାର ହୋଇଛନ୍ତି।
ଆହୁରି ମଧ୍ୟ ସେହି ଯାଜକ ପଦରେ ଅନେକେ ଥିଲେ, କାରଣ ଯାଜକ ପଦରେ କ୍ରମାଗତ ରହିବାକୁ ମୃତ୍ୟୁ ସେମାନଙ୍କୁ ବାଧା ଦେଲା; କିନ୍ତୁ ଯୀଶୁ ନିତ୍ୟଜୀବୀ ହୋଇଥିବାରୁ, ତାହାଙ୍କର ଯାଜକପଦ ଚିରସ୍ଥାୟୀ ହୁଏ। ସେଥିପାଇଁ ତାହାଙ୍କ ଦ୍ଵାରା ଯେଉଁମାନେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ସେମାନଙ୍କୁ ସମ୍ପୁର୍ଣ୍ଣ ରୂପେ ପରିତ୍ରାଣ କରିବାକୁ ସେ ସମର୍ଥ ଅଟନ୍ତି, କାରଣ ସେମାନଙ୍କ ପାଇଁ ନିବେଦନ କରିବାକୁ ସେ ସଦା ଜୀବିତ।
ଏହିପ୍ରକାର ଜଣେ ମହାଯାଜକ ଆମ ପାଇଁ ଉପଯୁକ୍ତ, ଯେ କି ପବିତ୍ର, ଦୋଷଶୂନ୍ୟ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ ଏବଂ ଊର୍ଦ୍ଧ୍ୱତମ ସ୍ଵର୍ଗକୁ ଉନ୍ନୀତ। ଅନ୍ୟ ଯାଜକମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ପାଇଁ, ପରେ ଲୋକଙ୍କର ପାପ ପାଇଁ ଦିନ ପରେ, ଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ହୁଏ ନାହିଁ। ସେ ଯେତେବେଳେ ନିଜକୁ ଉତ୍ସର୍ଗ କଲେ, ସେତେବେଳେ ସେମାନଙ୍କ ପାପ ପାଇଁ ଏକାଥରକେ ବଳି ଉତ୍ସର୍ଗ କଲେ। କାରଣ ବିଧିବ୍ୟବସ୍ଥା ଯେଉଁମାନଙ୍କୁ ମହାଯାଜକ ରୂପେ ନିଯୁକ୍ତ କରେ, ସେମାନେ ଶକ୍ତିହୀନ ମନୁଷ୍ୟ; କିନ୍ତୁ ଯେଉଁ ଶପଥ ବାକ୍ୟ ବିଧିବ୍ୟବସ୍ଥା ପରେ ଉଚ୍ଚାରିତ ହେଲା, ତାହା ଚିରକାଳ ପାଇଁ ସିଦ୍ଧିପ୍ରାପ୍ତ ପୁତ୍ରଙ୍କୁ ନିଯୁକ୍ତ କଲା।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.