Skip to content
BibleKenya

Biblica® Open Odia Contemporary Bible

ଏବ୍ରୀ 11

ବିଶ୍ୱାସୀ ବୀରମାନେ

ଆଶା କରିଥିବା ବିଷୟରେ ନିଃସନ୍ଦେହ ହେବା ଓ ଅଦୃଶ୍ୟ ବିଷୟରେ ନିଶ୍ଚିତ ଜ୍ଞାନ ପାଇବାହେଉଛି ବିଶ୍ୱାସ। ପୁରାକାଳର ବ୍ୟକ୍ତିମାନେ ଏହି ବିଷୟରେ ହିଁ ସୁଖ୍ୟାତି ଲାଭ କରିଥିଲେ।

ବିଶ୍ୱାସ ଦ୍ଵାରା ଆମେ ଜାଣୁ ଯେ ଈଶ୍ୱରଙ୍କ ଆଜ୍ଞାରେ ବିଶ୍ୱଜଗତ ସୃଷ୍ଟ ହେଲା, ଯଦ୍ଦ୍ୱାରା ଅଦୃଶ୍ୟ ବିଷୟରୁ ଦୃଶ୍ୟ ବିଷୟର ଉତ୍ପତ୍ତି ହେଲା।

ବିଶ୍ୱାସ ଦ୍ଵାରା ହେବଲ କୟିନଙ୍କ ଅପେକ୍ଷା ଏକ ଉତ୍କୃଷ୍ଟତର ବଳି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। ତାଙ୍କ ବିଶ୍ୱାସ ହେତୁ ଈଶ୍ୱର ତାଙ୍କର ନୈବେଦ୍ୟ ଗ୍ରହଣ କରି, ତାଙ୍କୁ ଧାର୍ମିକ ବୋଲି ସ୍ୱୀକାର କଲେ। ମୃତ ହେଲେ ମଧ୍ୟ ବିଶ୍ୱାସ ହେତୁ ହେବଲ ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି।

ବିଶ୍ୱାସ ଦ୍ଵାରା ହନୋକ ଇହଜୀବନରୁ ତିରୋହିତ ହେଲେ, ଯଦ୍ଦ୍ୱାରା ସେ ମୃତ୍ୟୁଭୋଗ କଲେ ନାହିଁ: “ସେ ଆଉ ଦେଖାଗଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ନେଇଗଲେ।” ସେ ନୀତ ହେବା ପୂର୍ବରୁ, ଈଶ୍ୱରଙ୍କ ସନ୍ତୋଷଭାଜନ ବୋଲି ସୁଖ୍ୟାତି ଲାଭ କରିଥିଲେ। ବିଶ୍ୱାସ ବିନା ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ, କାରଣ ଯେ ଈଶ୍ୱରଙ୍କ ନିକଟକୁ ଆସେ ସେ ତାହାଙ୍କ ଅସ୍ତିତ୍ଵରେ ବିଶ୍ୱାସ କରିବା ଏବଂ ତାହାଙ୍କର ଅନ୍ୱେଷଣ କରୁଥିବା ଲୋକଙ୍କର ପୁରସ୍କାରଦାତା ବୋଲି ବିଶ୍ୱାସ କରିବା ଉଚିତ୍।

ବିଶ୍ୱାସ ଦ୍ଵାରା ନୋହ, ଅପ୍ରତ୍ୟକ୍ଷ ଘଟଣାବଳୀ ସମ୍ବନ୍ଧରେ ଈଶ୍ୱରଙ୍କ ସତର୍କବାଣୀ ପାଇ, ନିଜ ପରିବାରକୁ ରକ୍ଷା କରିବାକୁ ଭୟଭକ୍ତି ସହକାରେ ଏକ ଜାହାଜ ନିର୍ମାଣ କଲେ। ନିଜ ବିଶ୍ୱାସ ବଳରେ ସେ ଜଗତର ଦୋଷ ଦେଖାଇ ବିଶ୍ୱାସ ହେତୁ ପ୍ରାପ୍ତ ଧାର୍ମିତାର ଅଧିକାରୀ ହେଲେ।

ଅବ୍ରହାମ ଯେଉଁ ଦେଶ ଅଧିକାର ସ୍ଵରୂପେ ପରେ ଲାଭ କରିବେ, ସେଠାକୁ ଯିବା ପାଇଁ ଆହ୍ଵାନ ପାଇବାରୁ ଆଜ୍ଞାବହ ହୋଇ ବିଶ୍ୱାସରେ ବାହାରିଗଲେ, ଅଥଚ ସେ କେଉଁଠାକୁ ଯାଉଥିଲେ, ତାହା ଜାଣି ନ ଥିଲେ। ବିଶ୍ୱାସ ବଳରେ ସେ ପ୍ରତିଜ୍ଞାତ ଦେଶରେ ଜଣେ ବିଦେଶୀ ପରି ପ୍ରବାସ କଲେ; ସେ ତମ୍ବୁରେ ବାସ କଲେ, ତାଙ୍କ ସହ ସେହି ପ୍ରତିଜ୍ଞାର ଉତ୍ତରାଧିକାରୀ, ଇସ୍‌ହାକ୍ ଓ ଯାକୁବ ମଧ୍ୟ ତଦ୍ରୂପ ବାସ କଲେ। କାରଣ ଯେଉଁ ନଗରର ଭିତ୍ତିମୂଳ ରହିଅଛି, ଯାହାର ସ୍ଥପତି ଓ ନିର୍ମାତା ସ୍ଵୟଂ ଈଶ୍ୱର, ଅବ୍ରହାମ ସେହି ନଗରର ଅପେକ୍ଷାରେ ଥିଲେ। ଯଦିବା ଅବ୍ରହାମ ଗତବୟସ୍କ ହୋଇଥିଲେ ଓ ସାରା ବନ୍ଧ୍ୟା ଥିଲେ, ତଥାପି ବିଶ୍ୱାସ ବଳରେ ସେ ପିତା ହେବାକୁ ସମର୍ଥ ହୋଇଥିଲେ, କାରଣ ଯେ ପ୍ରତିଜ୍ଞା କରିଥିଲେ ସେ ବିଶ୍ୱାସଭାଜନ ବୋଲି ଜାଣିଥିଲେ। ଏହିରୂପେ, ଯେଉଁ ବ୍ୟକ୍ତି ମୃତକଳ୍ପ ଥିଲେ, ସେହି ଜଣଙ୍କଠାରୁ ଆକାଶର ତାରା ପରି ଅଗଣ୍ୟ ଓ ସମୁଦ୍ରତୀରସ୍ଥ ବାଲୁକା ପରି ଅସଂଖ୍ୟ ବଂଶଧରମାନେ ଉତ୍ପନ୍ନ ହେଲେ।

ଏ ସମସ୍ତେ ବିଶ୍ୱାସରେ ଜୀବନଯାପନ କରି ପ୍ରାଣତ୍ୟାଗ କଲେ। ଏମାନେ ପ୍ରତିଶ୍ରୁତ ବିଷୟ ଲାଭକରି ନ ଥିଲେ; କେବଳ ଦୂରରୁ ଦେଖି ସ୍ୱାଗତ କରିଥିଲେ, ଆହୁରି ମଧ୍ୟ ଏ ପୃଥିବୀରେ ସେମାନେ ଯେ ବିଦେଶୀ ଓ ପ୍ରବାସୀ ତାହା ସ୍ୱୀକାର କରିଥିଲେ। ଏହିପ୍ରକାର କଥା କହୁଥିବା ବ୍ୟକ୍ତିମାନେ ନିଜର ଏକ ଦେଶର ସନ୍ଧାନରେ ଅଛନ୍ତି ବୋଲି ସ୍ପଷ୍ଟ ଦର୍ଶାଇ ଦିଅନ୍ତି। ସେମାନେ ଛାଡ଼ି ଆସିଥିବା ଦେଶକୁ ଯଦି ସ୍ମରଣ କରୁଥାଆନ୍ତେ, ତେବେ ଫେରିଯିବାକୁ ସେମାନଙ୍କ ପାଇଁ ସୁଯୋଗ ଥାଆନ୍ତା। ତା ପରିବର୍ତ୍ତେ, ସେମାନେ ଏକ ଉତ୍କୃଷ୍ଟତର ଦେଶ, ଅର୍ଥାତ୍ ସ୍ଵର୍ଗଧାମ ପାଇଁ ଆକାଂକ୍ଷିତ ଥିଲେ। ସେଥିପାଇଁ ଈଶ୍ୱର ସେମାନଙ୍କର ଈଶ୍ୱର ବୋଲି ପରିଚିତ ହେବାକୁ ଲଜ୍ଜିତ ନୁହନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଏକ ନଗର ପ୍ରସ୍ତୁତ କରିଅଛନ୍ତି।

ଈଶ୍ୱର ଅବ୍ରହାମଙ୍କ ପରୀକ୍ଷା କଲାବେଳେ, ବିଶ୍ୱାସ ଦ୍ଵାରା ଅବ୍ରହାମ, ଇସ୍‌ହାକ୍‌ଙ୍କୁ ଉତ୍ସର୍ଗ କଲେ। ଯେଉଁ ବ୍ୟକ୍ତି ପ୍ରତିଜ୍ଞାସମୂହ ପାଇଥିଲେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ ଉଦ୍ୟତ ଥିଲେ, ଅଥଚ ଈଶ୍ୱର ତାଙ୍କୁ କହିଥିଲେ, “ଇସ୍‌ହାକ୍ ଦ୍ଵାରା ତୁମର ବଂଶ ଖ୍ୟାତ ହେବ।” ଅବ୍ରହାମଙ୍କ ଏହି ଧାରଣା ଥିଲା ଯେ ଈଶ୍ୱର ମୃତ୍ୟୁ ଲୋକଙ୍କୁ ଉଠାଇ ପାରନ୍ତି, ଏବଂ ରୂପକ ଭାବରେ କହିବାକୁ ଗଲେ ସେ ଇସ୍‌ହାକଙ୍କୁ ସତେ ଯେପରି ମୃତ୍ୟୁରୁ ଫେରି ପାଇଲେ।

ବିଶ୍ୱାସ ଦ୍ଵାରା ଇସ୍‌ହାକ ଯାକୁବ ଓ ଏଷୌଙ୍କୁ ସେମାନଙ୍କ ଭବିଷ୍ୟତ୍ ବିଷୟରେ ଆଶୀର୍ବାଦ କଲେ।

ବିଶ୍ୱାସ ଦ୍ଵାରା ଯାକୁବ, ମୃତ୍ୟୁଶଯ୍ୟାରେ, ନିଜ ଯଷ୍ଟିର ଅଗ୍ରଭାଗରେ ଭରା ଦେଇ ଆରାଧନା କରୁ କରୁ ଯୋସେଫଙ୍କ ପୁତ୍ରଦ୍ଵୟଙ୍କୁ ଆଶୀର୍ବାଦ କଲେ।

ବିଶ୍ୱାସ ଦ୍ଵାରା ଯୋସେଫ, ଜୀବନର ଶେଷକାଳରେ, ମିଶରରୁ ଇସ୍ରାଏଲୀୟମାନଙ୍କର ପ୍ରସ୍ଥାନ ବିଷୟ କହିଥିଲେ ଓ ନିଜ ଅସ୍ଥି ସମ୍ବନ୍ଧରେ ନିର୍ଦ୍ଦେଶ ଦେଇଥିଲେ।

ବିଶ୍ୱାସ ଦ୍ଵାରା ମୋଶାଙ୍କ ପିତାମାତା ତାଙ୍କର ଜନ୍ମ ପରେ, ଶିଶୁଟିକୁ ସୁନ୍ଦର ଦେଖି ତିନିମାସ କାଳ ଲୁଚାଇ ରଖିଲେ, ଏବଂ ସେମାନେ ରାଜାଜ୍ଞାକୁ ଭୟ କରି ନ ଥିଲେ।

ମୋଶା ବୟଃପ୍ରାପ୍ତ ହେଲାପରେ, ବିଶ୍ୱାସ ଦ୍ଵାରା, ଫାରୋଙ୍କ କନ୍ୟାଙ୍କ ପୁତ୍ର ରୂପେ ପରିଚିତ ହେବାକୁ ଅସମ୍ମତ ହେଲେ। ସେ ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହ ବରଂ ଦୁର୍ବ୍ୟବହାର ସହିବାକୁ ପସନ୍ଦ କଲେ। ମିଶରର ସମସ୍ତ ଧନସମ୍ପଦ ଅପେକ୍ଷା ଖ୍ରୀଷ୍ଟଙ୍କ ସକାଶେ ଲାଞ୍ଚ୍ଥନାକୁ ଅଧିକ ମୂଲ୍ୟବାନ ମନେ କଲେ, କାରଣ ସେ ଭାବୀ ପୁରସ୍କାର ପ୍ରତି ଦୃଷ୍ଟି ରଖିଥିଲେ। ବିଶ୍ୱାସ ବଳରେ ସେ ରାଜାଙ୍କ କ୍ରୋଧକୁ ଭୟ ନ କରି; ମିଶର ପରିତ୍ୟାଗ କଲେ, କାରଣ ଯେ ଅଦୃଶ୍ୟ ଅଟନ୍ତି ତାହାଙ୍କୁ ଦେଖିବାରୁ ସେ ସ୍ଥିରଚିତ୍ତ ଥିଲେ। ପ୍ରଥମଜାତମାନଙ୍କର ସଂହାରକ ଇସ୍ରାଏଲୀୟ ପ୍ରଥମଜାତ ସନ୍ତାନମାନଙ୍କୁ ଯେପରି ସ୍ପର୍ଶ ନ କରନ୍ତି, ଏଥିପାଇଁ ସେ ବିଶ୍ୱାସରେ ନିସ୍ତାର ପର୍ବ ଓ ରକ୍ତସିଞ୍ଚନ ବିଧି ପାଳନ କଲେ।

ବିଶ୍ୱାସ ଦ୍ଵାରା ଲୋକେ ଶୁଖିଲା ଭୂମିରେ ଚାଲିଲା ପରି ଲୋହିତ ସାଗର ପାରି ହେଲେ; କିନ୍ତୁ ମିଶରୀୟମାନେ ସେପରି କରିବାକୁ ଚେଷ୍ଟା କରି ବୁଡ଼ିମଲେ।

ଲୋକେ ବିଶ୍ୱାସରେ ଯିରିଖୋ ପ୍ରାଚୀରକୁ ସାତ ଦିନ ପ୍ରଦକ୍ଷିଣ କଲାପରେ, ତାହା ଭୂମିସାତ୍ ହେଲା।

ବିଶ୍ୱାସ ଦ୍ଵାରା ବେଶ୍ୟା ରାହାବ ଚରମାନଙ୍କୁ ଆଶ୍ରୟ ଦେଇଥିବାରୁ, ଅବିଶ୍ୱାସୀମାନଙ୍କ ସହ ପ୍ରାଣ ହରାଇ ନ ଥିଲେ।

ମୁଁ ଆଉ ଅଧିକ କଅଣ କହିବି? ଗିଦିୟନ, ବାରାକ୍, ଶାମ୍‌ଶୋନ୍, ଯେପ୍ତାହ, ଦାଉଦ, ଶାମୁଏଲ ଓ ଭାବବାଦୀମାନଙ୍କ କଥା କହିବାକୁ ଗଲେ ସମୟ ଅଣ୍ଟିବ ନାହିଁ। ଏମାନେ ବିଶ୍ୱାସ ବଳରେ ରାଜ୍ୟ ଜୟ କଲେ, ନ୍ୟାୟ କର୍ମ ସାଧନ କଲେ, ଏବଂ ପ୍ରତିଶ୍ରୁତ ବିଷୟ ପ୍ରାପ୍ତ ହେଲେ, ଏମାନେ ସିଂହ ମୁଖ ବନ୍ଦ କଲେ, ପ୍ରଚଣ୍ଡ ଅଗ୍ମିଶିଖା ନିର୍ବାପିତ କଲେ, ଏବଂ ଖଡ଼୍‌ଗଧାରରୁ ରକ୍ଷା ପାଇଲେ; ଏମାନଙ୍କର ଦୁର୍ବଳତା ଶକ୍ତିରେ ପରିଣତ ହେଲା; ଏମାନେ ଯୁଦ୍ଧରେ ବିକ୍ରମୀ ହେଲେ ଏବଂ ବିଦେଶୀ ସେନାବାହିନୀକୁ ପରାସ୍ତ କଲେ। ନାରୀମାନେ ସେମାନଙ୍କର ମୃତଲୋକଙ୍କୁ, ସଜୀବ ରୂପେ ଫେରି ପାଇଲେ। ଅନ୍ୟମାନେ ଏକ ଉତ୍କୃଷ୍ଟତର ପୁନରୁତ୍ଥାନ ଆଶାରେ, ବନ୍ଦୀତ୍ଵର ମୁକ୍ତିକୁ ଉପେକ୍ଷା କରି ନିପୀଡ଼ିତ ହେଲେ। କେହି କେହି ବିଦ୍ରୂପ ଓ କକ୍ଷାଘାତ ସହ୍ୟ କଲେ, ଅନ୍ୟ କେହି କେହି ଶିକୁଳିରେ ବନ୍ଧା ଯାଇ କାରାଗାରରେ ନିକ୍ଷିପ୍ତ ହେଲେ। କେହି ଅବା ପ୍ରସ୍ତରାଘାତରେ ହତ; କେହି ନିର୍ଯ୍ୟାତିତ, କେହି କରତରେ ଦ୍ଵଖଣ୍ଡିତ ଓ କେହି କେହି ଖଡ଼୍‌ଗରେ ନିହତ ହେଲେ। ସେମାନେ ମେଷ ଓ ଛାଗ ଚର୍ମରେ ଆବୃତ ହୋଇ ଅସହାୟ, ନିର୍ଯ୍ୟାତିତ ଓ ଲାଞ୍ଚ୍ଥିତ ଅବସ୍ଥାରେ ବୁଲିଲେ ଜଗତ ସେମାନଙ୍କ ପାଇଁ ଯୋଗ୍ୟ ନ ଥିଲା। ସେମାନେ ଗୁମ୍ଫା ଓ ଗହ୍ଵରମାନଙ୍କରେ ରହି, ମରୁପ୍ରାନ୍ତର ଓ ପର୍ବତଗୁଡ଼ିକରେ ବୁଲିଲେ।

ଏମାନେ ସମସ୍ତେ ନିଜର ବିଶ୍ୱାସ ପାଇଁ ସୁଖ୍ୟାତି ଲାଭ କଲେ, ତଥାପି ସେମାନଙ୍କ ମଧ୍ୟରୁ କେହି ଜଣେ ସୁଦ୍ଧା ପ୍ରତିଶ୍ରୁତି ବିଷୟ ଲାଭ କଲେ ନାହିଁ, ଈଶ୍ୱର ଆମ ପାଇଁ କିଛି ଉତ୍କୃଷ୍ଟତର ବିଷୟ ପରିକଳ୍ପନା କରିଥିଲେ ଯେପରିକି ସେମାନେ ଆମ ସହିତ ଏକାଠି ସିଦ୍ଧିଲାଭ କରିବେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.