Skip to content
BibleKenya

Biblica® Open Odia Contemporary Bible

ପ୍ରେରିତ 21

ଯିରୂଶାଲମର ଅଭିମୁଖେ ଯାତ୍ରା

ଆମେ ସେମାନଙ୍କଠାରୁ ବିଦାୟ ନେବା ପରେ, ଜାହାଜ କୂଳ ଛାଡ଼ିଲା ଓ ଆମେ ସିଧା କୋସ୍‌ଆଡ଼କୁ ଯାତ୍ରା କଲୁ। ପରବର୍ତ୍ତୀ ଦିନ ଆମେ ରୋଡ଼୍‌ସ୍‌କୁ ଓ ସେଠାରୁ ପାତାରାକୁ ଗଲୁ। ସେଠାରେ ଫିନିସିଆକୁ ଯାଉଥିବା ଗୋଟିଏ ଜାହାଜ ପାଇ, ଆମେ ଚଢ଼ିଲୁ ଓ ଯାତ୍ରା କଲୁ। ସାଇପ୍ରସ୍ ଦୃଷ୍ଟିଗୋଚର ହେବା ପରେ, ଆମେ ତାହାର ଦକ୍ଷିଣ ପାର୍ଶ୍ୱ ଦେଇ ସିରିଆକୁ ଯାତ୍ରା କଲୁ। ଜାହାଜରୁ ମାଲପତ୍ର ଖଲାସ କରିବାର ଆବଶ୍ୟକ ଥିବାରୁ, ଆମେ ସୋରରେ ଓହ୍ଲାଇଲୁ। ସେହି ସ୍ଥାନରେ ଶିଷ୍ୟମାନଙ୍କ ସାକ୍ଷାତ ପାଇ ଆମେ ସେମାନଙ୍କ ସହିତ ସାତ ଦିନ ରହିଲୁ। ଯିରୂଶାଲମକୁ ଯାତ୍ରା ନ କରିବାକୁ ସେମାନେ ଆତ୍ମାଙ୍କ ଚାଳନାରେ ପାଉଲଙ୍କୁ କହିବାକୁ ଲାଗିଲେ। କିନ୍ତୁ ସେଠାରେ ଆମର ରହଣି କାଳ ଶେଷ ହୁଅନ୍ତେ, ଆମେ ପ୍ରସ୍ଥାନ କରି ଯାତ୍ରା ପଥରେ ଅଗ୍ରସର ହେଲୁ। ସବୁ ଶିଷ୍ୟ, ସେମାନଙ୍କ ସ୍ତ୍ରୀ ଓ ପିଲାମାନେ, ନଗରରୁ ବାହାରି ଆମ ସଙ୍ଗରେ ଆସିଲେ, ଏବଂ ସମୁଦ୍ରର ବେଳାଭୂମିରେ ଆମେ ଆଣ୍ଠୁପାତି ପ୍ରାର୍ଥନା କଲୁ। ପରସ୍ପରଠାରୁ ବିଦାୟନେଇ, ଆମେ ଜାହାଜରେ ଚଢ଼ିଲୁ, ଓ ସେମାନେ ଘରକୁ ଫେରିଗଲେ।

ଆମେ ସୋରରୁ ଯାତ୍ରା କରି ତଲ୍‌ମାଇରେ ପହଞ୍ଚିଲୁ, ସେଠାରେ ଆମେ ଭାଇମାନଙ୍କୁ ଅଭିବାଦନ ଜଣାଇ ସେମାନଙ୍କ ସହିତ ଗୋଟିଏ ଦିନ ରହିଲୁ। ତା ପରଦିନ ଆମେ ସେଠାରୁ ପ୍ରସ୍ଥାନ କରି, କାଇସରିଆରେ ପହଞ୍ଚିଲୁ ଏବଂ ସୁସମାଚାର ପ୍ରଚାରକ ଫିଲିପ୍ ଯେ କି ସପ୍ତଜଣ ଙ୍କ ମଧ୍ୟରେ ଅନ୍ୟତମ ଥିଲେ, ତାଙ୍କ ଘରେ ରହିଲୁ। ଏହାଙ୍କର ଚାରି ଜଣ ଅବିବାହିତା କନ୍ୟା ଥିଲେ ଏବଂ ସେମାନେ ଭାବବାଦିନୀ ଥିଲେ।

ଆମେ ସେଠାରେ ଅନେକ ଦିନ ରହିଲା ପରେ, ଯିହୁଦା ପ୍ରଦେଶରୁ ଆଗାବସ୍ ନାମକ ଜଣେ ଭାବବାଦୀ ଆସିଲେ। ସେ ଆମ ନିକଟକୁ ଆସି, ପାଉଲଙ୍କ କଟିବନ୍ଧ ନେଇ, ନିଜ ହାତ ଓ ପାଦ ବାନ୍ଧି କହିଲେ, “ପବିତ୍ରଆତ୍ମା ଏହା କହୁଛନ୍ତି, ‘ଏହି କଟିବନ୍ଧ ଯାହାର ତାଙ୍କୁ ଯିରୂଶାଲମର ଯିହୁଦୀମାନେ ଏହିପରି ବାନ୍ଧି ଅଣଯିହୁଦୀମାନଙ୍କ ହାତରେ ସମର୍ପଣ କରିଦେବେ।’ ”

ଏହା ଶୁଣି ଆମେ, ଓ ସେଠାରେ ଥିବା ଲୋକମାନେ ଯିରୂଶାଲମକୁ ନ ଯିବା ପାଇଁ ପାଉଲଙ୍କୁ ବିନତି କଲୁ। କିନ୍ତୁ ପାଉଲ ଉତ୍ତର ଦେଲେ, “ତୁମେମାନେ କାହିଁକି କ୍ରନ୍ଦନ କରି ମୋର ହୃଦୟ ବିଦୀର୍ଣ୍ଣ କରୁଛ? ମୁଁ ପ୍ରଭୁ ଯୀଶୁଙ୍କ ନାମ ସକାଶେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି।” ତାଙ୍କୁ ମଣାଇ ନ ପାରିବାରୁ, ଆମେ କ୍ଷାନ୍ତ ହୋଇ କହିଲୁ, “ପ୍ରଭୁଙ୍କର ଇଚ୍ଛା ସଫଳ ହେଉ।”

ଏହାପରେ, ଆମେ ପ୍ରସ୍ତୁତ ହୋଇ ଯିରୂଶାଲମକୁ ବାହାରିଲୁ। କାଇସରିଆର କେତେକ ଶିଷ୍ୟ ଆମ ସଙ୍ଗରେ ଗଲେ ଓ ଆମକୁ ନାସୋନଙ୍କ ଘରକୁ ଆଣିଲେ, ସେଠାରେ ଆମର ରହିବା ବନ୍ଦୋବସ୍ତ ହୋଇଥିଲା। ନାସୋନ ଥିଲେ ସାଇପ୍ରସ୍‌ର ଅଧିବାସୀ ଓ ଆଦ୍ୟ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ।

ପାଉଲ ଯିରୂଶାଲମରେ ପହଞ୍ଚିଲେ

ଆମେ ଯେତେବେଳେ ଯିରୂଶାଲମରେ ପହଞ୍ଚିଲୁ, ଭାଇମାନେ ଆମକୁ ସାଦରେ ଅଭ୍ୟର୍ଥନା କଲେ। ପରବର୍ତ୍ତୀ ଦିନ ପାଉଲ ଓ ବାକି ଆମେ ସମସ୍ତେ ଯାକୁବଙ୍କୁ ଭେଟିବା ପାଇଁ ଗଲୁ, ସେଠାରେ ସବୁ ମଣ୍ଡଳୀମୁଖ୍ୟ ଉପସ୍ଥିତ ଥିଲେ। ପାଉଲ ସେମାନଙ୍କୁ ଅଭିବାଦନ ଜଣାଇଲେ ଏବଂ ଈଶ୍ୱର ତାଙ୍କର ସେବାକାର୍ଯ୍ୟ ଦ୍ଵାରା ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ଯେଉଁ କାର୍ଯ୍ୟ ସାଧନ କରିଥିଲେ ତାହାର ବିଶଦ ବିବରଣୀ ଦେଲେ।

ସେମାନେ ତାହା ଶୁଣି, ଈଶ୍ୱରଙ୍କ ସ୍ତୁତିବାଦ କଲେ। ତତ୍ପରେ ସେମାନେ ପାଉଲଙ୍କୁ କହିଲେ: “ଭାଇ, କେତେ ସହସ୍ର ଯିହୁଦୀ ଯେ ବିଶ୍ୱାସ କରିଛନ୍ତି, ତାହା ତୁମେ ଦେଖୁଛ ଏବଂ ଏମାନେ ସମସ୍ତେ ବିଧିବ୍ୟବସ୍ଥା ପାଳନ ବିଷୟରେ ବିଶେଷ ଉଦ୍‌ଯୋଗୀ। ସେମାନେ ଖବର ପାଇଛନ୍ତି ଯେ ଅଣଯିହୁଦୀ ଲୋକଙ୍କ ମଧ୍ୟରେ ବାସ କରୁଥିବା ସବୁ ଯିହୁଦୀଙ୍କୁ ନିଜ ନିଜର ସନ୍ତାନମାନଙ୍କୁ ସୁନ୍ନତ ନ କରିବାକୁ ଓ ଆମର ରୀତିନୀତି ଅନୁସାରେ ନ ଚଳିବାକୁ କହି, ତୁମେ ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପ୍ରତି ବିମୁଖ କରାଉଛ। ଏବେ ଆମେ କଅଣ କରିବା? ତୁମେ ଆସିଛ ବୋଲି ସେମାନେ ନିଶ୍ଚୟ ଶୁଣିବେ, ଆମେ ତୁମକୁ ଯାହା କହୁଛୁ ତାହା କର। ଆମ ସଙ୍ଗରେ ଏଠାରେ ଚାରି ଜଣ ଲୋକ ଅଛନ୍ତି ଏମାନେ ଗୋଟିଏ ବ୍ରତ ଗ୍ରହଣ କରିଛନ୍ତି। ଏମାନଙ୍କୁ ସଙ୍ଗରେ ନେଇ, ଏମାନଙ୍କର ଶୁଚିକରଣ ବିଧି ପାଳନରେ ଯୋଗ ଦିଅ, ପୁଣି ସେମାନେ ଯେପରି ମସ୍ତକ ମୁଣ୍ଡନ କରିପାରିବେ ଏଥିପାଇଁ ସେମାନଙ୍କ ଖର୍ଚ୍ଚ ବହନ କର। ତା ହେଲେ ତୁମ ବିଷୟରେ ସେମାନେ ଯେଉଁ ସମ୍ବାଦ ଶୁଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ, ବରଂ ତୁମେ ନିଜେ ବିଧିବ୍ୟବସ୍ଥା ମାନି ଚଳୁଛ ବୋଲି ସେମାନେ ଜାଣିବେ। ଅଣଯିହୁଦୀ ବିଶ୍ୱାସୀମାନଙ୍କ ସମ୍ବନ୍ଧରେ, ଆମେ ସେମାନଙ୍କୁ ଆମର ଏହି ସିଦ୍ଧାନ୍ତ ଲେଖି ଜଣାଇଛୁ ଯେ ସେମାନେ ପ୍ରତିମାଗୁଡ଼ିକ ନିକଟରେ ଉତ୍ସର୍ଗିତ ପ୍ରସାଦରୁ, ରକ୍ତ ଭୋଜନରୁ, ଗଳାଚିପା ହୋଇ ମରାଯାଇଥିବା ପ୍ରାଣୀର ମାଂସ ଭୋଜନରୁ ଏବଂ ଯୌନ ଅସଦାଚାରରୁ ବିରତ ରହିବା ଉଚିତ୍।”

ପରବର୍ତ୍ତୀ ଦିନ ପାଉଲ ସେହି ଲୋକମାନଙ୍କୁ ନେଇ ସେମାନଙ୍କ ସହିତ ନିଜକୁ ଶୁଚି କଲେ। ତତ୍ପରେ ସେ ମନ୍ଦିରକୁ ଯାଇ ପ୍ରତ୍ୟେକର ଶୁଚିକରଣ ସମୟ କେଉଁ ଦିନ ସମାପ୍ତ ହେବ ଓ ନୈବେଦ୍ୟ ଉତ୍ସର୍ଗ କରାଯିବ ତାହା ଜଣାଇ ଦେଲେ।

ପାଉଲ ଗିରଫ ହେଲେ

ସେହି ସାତ ଦିନ ପ୍ରାୟ ଶେଷ ହୋଇ ଆସିଲା ବେଳକୁ, ଏସିଆ ପ୍ରଦେଶରୁ ଆସିଥିବା କେତେକ ଯିହୁଦୀ ପାଉଲଙ୍କୁ ମନ୍ଦିରରେ ଦେଖିଲେ। ସେମାନେ ଲୋକସମୂହକୁ ମତାଇ ତାଙ୍କୁ ଧରିଲେ, ପୁଣି ସେମାନେ ଚିତ୍କାର କରି କହିଲେ, “ହେ ଇସ୍ରାଏଲୀୟ ଲୋକେ, ଆମକୁ ସାହାଯ୍ୟ କର! ଯେଉଁ ଲୋକଟା ସବୁଆଡ଼େ ସବୁ ଲୋକଙ୍କୁ ଆମ ଜାତି ଆମ ବିଧିବ୍ୟବସ୍ଥା ଓ ଏହି ସ୍ଥାନ ବିରୁଦ୍ଧରେ ଶିକ୍ଷା ଦେଉଛି ଏ ସେହି। ଏହାଛଡ଼ା, ସେ ଗ୍ରୀକ ଲୋକଙ୍କୁ ମନ୍ଦିର ପ୍ରାଙ୍ଗଣକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।” (ସେମାନେ ଏଫିସୀୟ ତ୍ରୋଫିମସଙ୍କୁ ପାଉଲଙ୍କ ସଙ୍ଗେ ନଗରରେ ଏଥିପୂର୍ବ ଦେଖିଥିଲେ ଓ ପାଉଲ ତାଙ୍କୁ ମନ୍ଦିର ପ୍ରାଙ୍ଗଣକୁ ନେଇଥିବେ ବୋଲି ଭାବିନେଲେ।)

ସମଗ୍ର ନଗର ଉତ୍ତେଜନାରେ ପୂର୍ଣ୍ଣ ହେଲା, ଏବଂ ଲୋକେ ସବୁଆଡ଼ୁ ଦୈଡ଼ି ଆସିଲେ। ପାଉଲଙ୍କୁ ଧରି, ସେମାନେ ମନ୍ଦିରରୁ ଘୋଷାରି ନେଲେ, ଏବଂ ସଙ୍ଗେସଙ୍ଗେ ଦ୍ଵାରଗୁଡ଼ିକ ବନ୍ଦ କରାଗଲା। ସେମାନେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଉଥିଲା ବେଳେ, ସମଗ୍ର ଯିରୂଶାଲମର ନଗରରେ ଗଣ୍ଡଗୋଳ ଲାଗିଛି ବୋଲି ରୋମୀୟ ସୈନ୍ୟଦଳର ଅଧ୍ୟକ୍ଷଙ୍କ ନିକଟରେ ଖବର ପହଞ୍ଚିଲା। ସେ ତତ୍‌କ୍ଷଣାତ୍ କେତେକ ସୈନିକ ଓ ଶତସେନାପତିଙ୍କୁ ନେଇ ଜନତା ଆଡ଼କୁ ଦୈଡ଼ିଗଲେ। ଗଣ୍ଡଗୋଳକାରୀମାନେ ଯେତେବେଳେ ସେନାଧ୍ୟକ୍ଷଙ୍କୁ ଓ ତାଙ୍କ ସୈନିକମାନଙ୍କୁ ଦେଖିଲେ, ସେମାନେ ପାଉଲଙ୍କୁ ପ୍ରହାର କରିବାରୁ ନିବୃତ୍ତ ହେଲେ।

ସେନାଧ୍ୟକ୍ଷ ଆସି ପାଉଲଙ୍କୁ ଗିରଫ କଲେ ଓ ଦୁଇଟି ଶିକୁଳିରେ ତାଙ୍କୁ ବାନ୍ଧିବା ପାଇଁ ଆଦେଶ ଦେଲେ। ତା ପରେ ସେ କିଏ ଓ କଅଣ କରିଛନ୍ତି ବୋଲି ପଚାରିଲେ। ଲୋକଗହଳି ମଧ୍ୟରେ କେତେଜଣ ଗୋଟିଏ କଥା କହିଲା ବେଳକୁ ଆଉ କେତେଜଣ ଅନ୍ୟ କଥା କହି ଚିତ୍କାର କରିବାକୁ ଲାଗିଲେ, ଗଣ୍ଡଗୋଳ ଯୋଗୁଁ ସେନାଧ୍ୟକ୍ଷ ସତ କଥା ଜାଣି ନ ପାରିବାରୁ, ପାଉଲଙ୍କୁ ସେନାନିବାସକୁ ନେଇଯିବା ପାଇଁ ଆଦେଶ ଦେଲେ। ପାଉଲ ପାହାଚ ନିକଟରେ ପହଞ୍ଚିଲା ବେଳକୁ, ଜନତା ଏଡ଼େ ଉଗ୍ର ହୋଇ ଉଠିଥିଲା ଯେ ସୈନିକମାନେ ତାଙ୍କୁ ଟେକି ନେଇ ଯିବାକୁ ପଡ଼ିଲା। ପଛେ ପଛେ ଆସୁଥିବା ଲୋକସମୂହ ଚିତ୍କାର କରୁଥିଲେ, “ତାକୁ ମାରି ଦିଅ!”

ଜନତାକୁ ପାଉଲଙ୍କ ଅଭିବାଦନ

ସୈନିକମାନେ ପାଉଲଙ୍କୁ ସେନାନିବାସ ଭିତରକୁ ନେଲାବେଳକୁ ସେ ସେନାଧ୍ୟକ୍ଷଙ୍କୁ ପଚାରିଲେ, “ମୁଁ ଆପଣଙ୍କୁ କିଛି କହିପାରେ କି?”

ସେ ଉତ୍ତର ଦେଲେ, “ତୁମେ ଗ୍ରୀକ କହିପାର?” “ତୁମେ କଅଣ ସେହି ମିଶରୀୟ ନୁହଁ ଯେ କି କିଛିକାଳ ପୂର୍ବେ ବିଦ୍ରୋହ କରି ଚାରିହଜାର ସନ୍ତ୍ରାସବାଦୀଙ୍କୁ ମରୁଅଞ୍ଚଳକୁ ନେଇ ଯାଇଥିଲା?”

ପାଉଲ ଉତ୍ତର ଦେଲେ, “ମୁଁ ଜଣେ ଯିହୁଦୀ, ସିଲିସିଆର ତାର୍ଷସ ନଗରର ଅଧିବାସୀ, ମୁଁ କୌଣସି ନଗଣ୍ୟ ନଗରର ନାଗରିକ ନୁହେଁ। ଦୟାକରି ଏହି ଲୋକମାନଙ୍କୁ କିଛି କହିବାକୁ ମୋତେ ଅନୁମତି ଦିଅନ୍ତୁ।”

ସେନାଧ୍ୟକ୍ଷଙ୍କଠାରୁ ଅନୁମତି ପାଇ, ପାଉଲ ପାହାଚ ଉପରେ ଠିଆ ହେଲେ ଓ ଲୋକଙ୍କୁ ନୀରବ ରହିବାକୁ ସଂକେତ ଦେଲେ। ସମସ୍ତେ ନୀରବ ହେବା ପରେ, ସେ ହିବ୍ରୁ ଭାଷାରେ ସେମାନଙ୍କୁ କହିଲେ:

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.