Skip to content
BibleKenya

Biblica® Open Odia Contemporary Bible

ଦ୍ୱିତୀୟ ତୀମଥି 2

ହେ ମୋର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କଠାରେ ନିହିତ ଅନୁଗ୍ରହ ଦ୍ଵାରା ଶକ୍ତିମନ୍ତ ହୁଅ। ଆହୁରି ମଧ୍ୟ ଅନେକ ସାକ୍ଷୀଙ୍କ ସାକ୍ଷାତରେ ତୁମେ ମୋ ଠାରୁ ଯେଉଁସବୁ ବିଷୟ ଶୁଣିଅଛ ସେହିସବୁକୁ ଏପରି ନିର୍ଭରଯୋଗ୍ୟ ଲୋକଙ୍କ ହାତରେ ସମର୍ପଣ କର ଯେଉଁମାନଙ୍କର ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବା ଯୋଗ୍ୟତା ଥିବ। ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସୈନିକ ରୂପେ, ଆମ ସହିତ କଷ୍ଟ ସହ୍ୟ କର। କୌଣସି ଲୋକ ସୈନିକ ଭାବରେ କାର୍ଯ୍ୟ କରୁଥିବା ବେଳେ ବେସାମରିକ ବ୍ୟାପାରରେ ଜଡ଼ିତ ହୁଏ ନାହିଁ, ସେନାଧ୍ୟକ୍ଷଙ୍କୁ କିପରି ସନ୍ତୁଷ୍ଟ କରିବ, ଏହା ହିଁ ତାହାର ଅଭୀପ୍ରାୟ ଥାଏ। ସେହିପରି, କ୍ରୀଡ଼ା ପ୍ରତିଯୋଗୀ ଖେଳର ନିୟମ ନ ମାନିଲେ ବିଜୟ ମୁକୁଟ ଲାଭ କରେ ନାହିଁ। ପରିଶ୍ରମୀ କୃଷକ ପ୍ରଥମେ ଫସଲର ଭାଗ ପାଇବା ଉଚିତ। ମୁଁ ଯାହା କହୁଅଛି ସେହିବିଷୟ ଚିନ୍ତା କର, କାରଣ ଏହିସବୁ ପାଇଁ ପ୍ରଭୁ ତୁମକୁ ଅନ୍ତର୍ଦୁଷ୍ଟି ଦେବେ।

ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କର, ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କ ବଂଶଜାତ। ଏହା ହେଉଛି ମୋହର ପ୍ରଚାରିତ ସୁସମାଚାର, ଏହି ସୁସମାଚାର ସକାଶେ ମୁଁ ଦୁଃଖଭୋଗ କରୁଅଛି ଏପରିକି ଅପରାଧୀ ତୁଲ୍ୟ ବନ୍ଧନଗ୍ରସ୍ତ ହୋଇଅଛି। କିନ୍ତୁ ଈଶ୍ୱରଙ୍କ ବାକ୍ୟ ବନ୍ଧନଗ୍ରସ୍ତ ନୁହେଁ। ସେଥିପାଇଁ, ମୁଁ ମନୋନୀତ ଲୋକଙ୍କ ପାଇଁ ସବୁକିଛି ସହ୍ୟ କରୁଅଛି, ଯେପରିକି ସେମାନେ ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ଲାଭ କରିବେ।

ଏହା ଏକ ବିଶ୍ୱାସଯୋଗ୍ୟ ଉକ୍ତି:

ଆମେ ଯଦି ତାହାଙ୍କ ସହିତ ମୃତ୍ୟୁଭୋଗ କରିଅଛୁ,

ତେବେ ତାହାଙ୍କ ସହିତ ଜୀବିତ ମଧ୍ୟ ରହିବୁ;

ଆମେ ଯଦି ଧୈର୍ଯ୍ୟ ଧରି ରହୁ,

ତେବେ ତାହାଙ୍କ ସହିତ ରାଜତ୍ଵ ମଧ୍ୟ କରିବୁ।

ଆମେ ଯଦି ତାହାଙ୍କୁ ଅସ୍ୱୀକାର କରୁ,

ତେବେ ସେ ମଧ୍ୟ ଆମକୁ ଅସ୍ୱୀକାର କରିବେ;

ଆମେ ଯଦି ଅବିଶ୍ୱସ୍ତ ହେଉ,

ତେବେ ସୁଦ୍ଧା ସେ ବିଶ୍ୱସ୍ତ ଅଟନ୍ତି,

କାରଣ ସେ ତ ନିଜର ବିରୁଦ୍ଧାଚରଣ କରିପାରିବେ ନାହିଁ।

ମିଥ୍ୟା ଶିକ୍ଷକମାନଙ୍କ ସହିତ କିପରି ମୁକାବିଲା କରିବେ

ସେହି ଲୋକମାନଙ୍କୁ ଏହିସବୁ କଥା ସ୍ମରଣ କରାଅ। ଈଶ୍ୱରଙ୍କ ସାକ୍ଷାତରେ ସେମାନଙ୍କୁ ସତର୍କ କରାଅ; ସେମାନେ ବାଗ୍‌ଯୁଦ୍ଧ ନ କରନ୍ତୁ ଏଥିରେ କୌଣସି ଲାଭ ନାହିଁ, ଏହା ଶ୍ରୋତାମାନଙ୍କର କେବଳ ସର୍ବନାଶ ସାଧନ କରିଥାଏ। ଯାହାର ଲଜ୍ଜାବୋଧ କରିବା ଆବଶ୍ୟକ ହୁଏ ନାହିଁ ଓ ଯିଏ ନିର୍ଭୁଲ ଭାବରେ ସତ୍ୟବାକ୍ୟ ବ୍ୟବହାର କରେ, ଈଶ୍ୱର ଅନୁମୋଦନ କରୁଥିବା ଏପରି ଜଣେ କାର୍ଯ୍ୟକାରୀ ହେବାକୁ ତୁମେ ତାହାଙ୍କ ନିକଟରେ ନିଜକୁ ଉତ୍ସର୍ଗ କରିବାକୁ ବିଶେଷ ଯତ୍ନଶୀଳ ହୁଅ। ଅଧାର୍ମିକ କଥାବାର୍ତ୍ତା ପରିହାର କର, କାରଣ ଯେଉଁମାନେ ଏଥିରେ ଜଡ଼ିତ ହୁଅନ୍ତି ସେମାନେ ଅଧିକରୁ ଅଧିକ ଅଧାର୍ମିକ ହେବେ। ସେମାନଙ୍କ ଶିକ୍ଷା ପଚା ଘାଆ ପରି ମାଡ଼ିଯାଏ। ସେମାନଙ୍କ ମଧ୍ୟରେ ହିମେନିୟସ୍ ଓ ଫିଲୀତସ୍ ଅନ୍ୟତମ, ଏମାନେ ସତ୍ୟଭ୍ରଷ୍ଟ ହୋଇଛନ୍ତି, ପୁନରୁତ୍ଥାନ ହୋଇ ସାରିଲାଣି ବୋଲି କହି ଏମାନେ କେତେକଙ୍କ ବିଶ୍ୱାସହାନି ଘଟାଉଛନ୍ତି। ଏହାସତ୍ତ୍ୱେ, ଈଶ୍ୱରଙ୍କ ଦୃଢ଼ ଭିତ୍ତି ଅଟଳ ରହିଅଛି, ତା ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି: “କେଉଁମାନେ ପ୍ରଭୁଙ୍କର ତାହା ସେ ଜାଣନ୍ତି,” ଏବଂ “ଯେଉଁମାନେ ପ୍ରଭୁଙ୍କ ନାମ ସ୍ୱୀକାର କରନ୍ତି, ସେମାନେ ଅଧର୍ମରୁ ବିମୁଖ ହେବା ଉଚିତ।”

କୌଣସି ଏକ ବଡ଼ ଘରେ କେବଳ ଯେ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ପାତ୍ର ଉତ୍କୃଷ୍ଟ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ ଓ ଅନ୍ୟ କେତେକ ନିକୃଷ୍ଟ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ। ଯେକେହି ନିକୃଷ୍ଟ ବିଷୟରୁ ନିଜକୁ ପରିସ୍କାର କରେ, ସେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ବ୍ୟବହାରଯୋଗ୍ୟ ପାତ୍ର ହେବ, ସେ ପବିତ୍ର ହୋଇ କର୍ତ୍ତାଙ୍କର ପ୍ରୟୋଜନୀୟ ଓ ସମସ୍ତ ସତ୍କର୍ମ ପାଇଁ ପ୍ରସ୍ତୁତ ହେବ।

ତୁମେ ଯୌବନକାଳର ମନ୍ଦ ଅଭିଳାଷ ଗୁଡ଼ିକରୁ ଦୂରରେ ରୁହ ଏବଂ ଯେଉଁମାନେ ନିର୍ମଳ ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର, ଅନୁଗାମୀ ହୁଅ। ନିର୍ବୋଧ ଓ ବିବେଚନାଶୂନ୍ୟ ଯୁକ୍ତିତର୍କରେ ଆଦୌ ଯୋଗ ଦିଅ ନାହିଁ, କାରଣ ତୁମେ ଜାଣ ଯେ ଏହିସବୁ କଳହ ଜନ୍ମାଏ। ପୁଣି ପ୍ରଭୁଙ୍କର ସେବକ କଳହପ୍ରିୟ ହେବା ଉଚିତ ନୁହେଁ, ତା ପରିବର୍ତ୍ତେ ସେସମସ୍ତଙ୍କ ପ୍ରତି ସଦୟ, ଶିକ୍ଷାଦାନରେ ସୁଦକ୍ଷ ଓ ସହନଶୀଳ ହେବା ଉଚିତ। ତାଙ୍କର ବିରୋଧ କରୁଥିବା ଲୋକଙ୍କୁ ଭଦ୍ର ଭାବରେ ସେ ସଂଶୋଧନ କରିବା ଉଚିତ, ତା ହେଲେ ହୁଏତ ଈଶ୍ୱର ସେମାନଙ୍କୁ ଅନୁତାପ କରିବାକୁ ଓ ସତ୍ୟ ଜ୍ଞାନଲାଭ କରିବାକୁ ସାହାଯ୍ୟ କରିବେ, ପୁଣି ସେମାନେ ସଦ୍‌ବୁଦ୍ଧି ଲାଭକରି ଯେଉଁ ଶୟତାନ ନିଜର ଅଭିଳାଷ ସାଧନ କରିବାକୁ ସେମାନଙ୍କୁ ବନ୍ଦୀ କରି ରଖିଅଛି, ତାହାର ଫାନ୍ଦରୁ ମୁକୁଳି ପାରିବେ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.