Biblica® Open Odia Contemporary Bible
ଦ୍ୱିତୀୟ ଯୋହନ 1
ପ୍ରାଚୀନ ଯେ ମୁଁ,
ଯେଉଁ ମନୋନୀତା ମହିଳାଙ୍କୁ ଓ ତାଙ୍କର ସନ୍ତାନମାନଙ୍କୁ ସତ୍ୟ ରୁପେ ପ୍ରେମ କରେ, ପୁଣି କେବଳ ମୁଁ ନୁହେଁ, ମାତ୍ର ସତ୍ୟ ଜ୍ଞାନପ୍ରାପ୍ତ ସମସ୍ତେ ପ୍ରେମ କରନ୍ତି ସେମାନଙ୍କୁ ଏହି ପତ୍ର ଲେଖୁଅଛି। ଯେଉଁ ସତ୍ୟ ଆମ୍ଭମାନଙ୍କ ଅନ୍ତରରେ ରହିଅଛି ଓ ଆମ ସହିତ ଚିରକାଳ ରହିବ, ସେଥିସକାଶୁ ଆମେ ତୁମ୍ଭମାନଙ୍କୁ ସ୍ନେହ କରୁଅଛୁ:
ପିତା ଈଶ୍ୱରଙ୍କଠାରୁ ଏବଂ ପିତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ସତ୍ୟ ଓ ପ୍ରେମରେ ଆମ ସହିତ ରହିଥିବ।
ଆମ ପ୍ରତି ପିତାଙ୍କର ଆଜ୍ଞାନୁସାରେ ତୁମର ସନ୍ତାନମାନଙ୍କ ମଧ୍ୟରୁ କେତେଜଣ ଯେ ସତ୍ୟରେ ଜୀବନଯାପନ କରୁଅଛନ୍ତି, ତାହା ଜାଣି ମୁଁ ବିଶେଷ ଆନନ୍ଦ ଲାଭ କରିଅଛି। ଆଗୋ ଭଦ୍ରେ, ମୁଁ ତୁମ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁନାହିଁ ମାତ୍ର ଯାହା ଆମେ ଆରମ୍ଭରୁ ପାଇଅଛୁ ତାହା ହିଁ ଲେଖୁଅଛି। ଆମେ ପରସ୍ପରକୁ ପ୍ରେମ କରୁ, ଏହା ହିଁ ମୋହର ଅନୁରୋଧ। ପୁଣି ଏହା ହିଁ ପ୍ରେମ ଯେ ଆମେ ତାହାଙ୍କର ଆଜ୍ଞା ପାଳନ କରି ଜୀବନଯାପନ କରୁ। ତୁମ୍ଭେମାନେ ଆରମ୍ଭରୁ ତାହାଙ୍କର ଆଜ୍ଞା ଶୁଣିଅଛ, ପ୍ରେମରେ ଜୀବନଯାପନ କର।
ଯୀଶୁ ଖ୍ରୀଷ୍ଟ ଦେହ ଧାରଣ କରି ଆସିଥିଲେ ବୋଲି, ଯେଉଁମାନେ ସ୍ୱୀକାର କରନ୍ତି ନାହିଁ, ଏପରି ଅନେକ ପ୍ରତାରକ ଜଗତରେ ବାହାରିଗଲେଣି। ଏପ୍ରକାର ଲୋକ ପ୍ରତାରକ ଓ ଖ୍ରୀଷ୍ଟବିରୋଧୀ ଅଟେ। ଯେଉଁସବୁ ବିଷୟ ପାଇଁ ତୁମ୍ଭେମାନେ ପରିଶ୍ରମ କରିଅଛ ତାହାର ଫଳ ଯେପରି ନ ହରାଅ, ମାତ୍ର ପୂର୍ଣ୍ଣ ପୁରସ୍କାର ଲାଭ କର ଏଥିପ୍ରତି ସତର୍କ ଦୃଷ୍ଟି ରଖ। ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ସୀମା ଲଙ୍ଘନ କରେ ସେ ଈଶ୍ୱରଙ୍କୁ ପାଇ ନାହିଁ; କିନ୍ତୁ ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ରହେ ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି। କେହି ଯଦି ଏହି ଶିକ୍ଷା ନ ନେଇ ତୁମ ନିକଟକୁ ଆସେ, ତେବେ ତାହାକୁ ତୁମ ଘରକୁ ଡାକ ନାହିଁ କିମ୍ବା ସ୍ୱାଗତ କର ନାହିଁ। କେହି ଯଦି ତାହାକୁ ସ୍ୱାଗତ କରେ ତେବେ ସେ ତାହାର ଦୁଷ୍କର୍ମରେ ଭାଗୀ ହୁଏ।
ତୁମ୍ଭମାନଙ୍କ ନିକଟକୁ ମୋହର ଅନେକ କିଛି ଲେଖିବାର ଅଛି, କିନ୍ତୁ ମୁଁ କାଗଜ ଓ କାଳିରେ ଲେଖିବାକୁ ଚାହୁଁ ନାହିଁ। ଆମର ଆନନ୍ଦ ଯେପରି ସମ୍ପୁର୍ଣ୍ଣ ହୁଏ, ଏଥିପାଇଁ, ମୁଁ ବରଂ ତୁମ୍ଭମାନଙ୍କ ନିକଟକୁ ଯାଇ ସାକ୍ଷାତ୍ କରି କଥାବାର୍ତ୍ତା କରିବି ବୋଲି ଆଶା କରୁଅଛି।
ମନୋନୀତା ଭଗିନୀଙ୍କର ସନ୍ତାନମାନେ ତୁମକୁ ଅଭିବାଦନ ଜଣାଉଅଛନ୍ତି।
Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.