Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ଥେସଲନୀକୀୟ 5

ସଦାପ୍ରଭୁଙ୍କର ଦିନ

ଏବେ ହେ ଭାଇ ଓ ଭଉଣୀମାନେ, ସେହି ସମୟ ଓ ଦିନ ବିଷୟରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବାର ଆବଶ୍ୟକତା ନାହିଁ, କାରଣ ତୁମ୍ଭେମାନେ ଭଲ ରୂପେ ଜାଣ ଯେ ରାତ୍ରିରେ ଚୋର ଯେପରି ଆସେ ପ୍ରଭୁଙ୍କର ଦିନ ସେହିପରି ଭାବରେ ଆସିବ। ଲୋକେ ଯେତେବେଳେ “ଶାନ୍ତି ଓ ନିରାପତ୍ତା ଅଛି,” ବୋଲି କହୁଥିବେ, ସେତେବେଳେ ଗର୍ଭବତୀ ସ୍ତ୍ରୀର ପ୍ରସବବେଦନା ପରି, ଅକସ୍ମାତ୍ ସେମାନଙ୍କ ଉପରେ ବିପତ୍ତି ପଡ଼ିବ, ଏବଂ ସେମାନେ ରକ୍ଷା ପାଇବେ ନାହିଁ।

କିନ୍ତୁ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ, ସେହିଦିନ ଚୋର ପରି ଅତର୍କିତ ଭାବରେ ତୁମ୍ଭମାନଙ୍କ ଉପରେ ଆସିବ। ତୁମେ ସମସ୍ତେ ଆଲୋକର ସନ୍ତାନ ଓ ଦିବସର ସନ୍ତାନ। ଆମେ ରାତ୍ରିର କି ଅନ୍ଧକାରର ସନ୍ତାନ ନୋହୁଁ। ଅତଏବ, ଆସ ଆମେ ଅନ୍ୟମାନଙ୍କ ପରି ନିଦ୍ରାଗତ ନ ହୋଇ ସଜାଗ ଓ ସଂଯମୀ ହେଉ। କାରଣ ଯେଉଁମାନେ ନିଦ୍ରା ଯାଆନ୍ତି, ସେମାନେ ରାତ୍ରିରେ ନିଦ୍ରା ଯାଆନ୍ତି, ଏବଂ ଯେଉଁମାନେ ମାତାଲ୍ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ୍ ହୁଅନ୍ତି। କିନ୍ତୁ ଦିବସର ସନ୍ତାନ ହୋଇଥିବାରୁ, ଆସ ଆମେ ବିଶ୍ୱାସ, ଓ ପ୍ରେମକୁ ବକ୍ଷସ୍ତ୍ରାଣ ରୂପେ, ଏବଂ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରି ସଂଯମୀ ହେଉ। କାରଣ ଈଶ୍ୱର ଆମକୁ କ୍ରୋଧରପାତ୍ର ହେବାକୁ ନିରୂପଣ କରିନାହାନ୍ତି ମାତ୍ର ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରିତ୍ରାଣ ଲାଭ କରିବାକୁ ନିରୂପଣ କରିଛନ୍ତି। ଆମେ ଜାଗ୍ରତ ଥାଉ କି ନିଦ୍ରିତ ଥାଉ, ଆମେ ଯେପରି ତାହାଙ୍କ ସହିତ ଜୀବିତ ରହିବୁ ଏଥିପାଇଁ ସେ ଆମ ନିମନ୍ତେ ମୃତ୍ୟୁବରଣ କଲେ। ତେଣୁ ତୁମ୍ଭେମାନେ ଯେପରି କରୁଅଛ, ସେହିପରି ପରସ୍ପରକୁ ଉତ୍ସାହ ପ୍ରଦାନ ଓ ସୁଗଠିତ କର।

ଶେଷ ନିର୍ଦ୍ଦେଶାବଳୀ

ହେ ଭାଇ ଓ ଭଉଣୀମାନେ, ଏବେ ଆମେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କମଧ୍ୟରେ କଠିନ ପରିଶ୍ରମ କରନ୍ତି, ପ୍ରଭୁଙ୍କ ସେବାରେ ତୁମର ଉପରିସ୍ଥଭାବେ ରହିଅଛନ୍ତି ଏବଂ ଯେଉଁମାନେ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି ସେମାନଙ୍କୁ ସମ୍ମାନ ଦିଅ। ସେମାନଙ୍କ କାର୍ଯ୍ୟ ସକାଶେ ପ୍ରେମ ପ୍ରଦର୍ଶନ କରି ଉଚ୍ଚ ସମ୍ମାନରେ ଭୂଷିତ କର। ପରସ୍ପର ସହ ଶାନ୍ତିରେ ବାସ କର। ଭାଇମାନେ, ଆମେ ଅନୁରୋଧ କରୁଅଛୁ, ଯେଉଁମାନେ ଆଳସ୍ୟପରାୟଣ ସେମାନଙ୍କୁ ସତର୍କ କରାଅ, ଯେଉଁମାନେ ଭୀରୁ ସେମାନଙ୍କୁ ଉତ୍ସାହ ଦିଅ, ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ସହନଶୀଳ ହୁଅ। କେହି ଯେପରି ଅନ୍ୟାୟ ପରିବର୍ତ୍ତେ କାହାରି ଅନ୍ୟାୟ ନ କରେ, ସେଥିପ୍ରତି ଦୃଷ୍ଟି ଦିଅ ବରଞ୍ଚ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ଅନ୍ୟ ସମସ୍ତଙ୍କର ମଙ୍ଗଳ କରିବାକୁ ଚେଷ୍ଟା କର।

ସର୍ବଦା ଆନନ୍ଦୋଲ୍ଲାସ କର, ନିରନ୍ତର ପ୍ରାର୍ଥନା କର, ସବୁ ପରିସ୍ଥିତିରେ ଧନ୍ୟବାଦ ଅର୍ପଣ କର; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଈଶ୍ୱରଙ୍କର ଅଭିମତ।

ପବିତ୍ର ଆତ୍ମାକୁ ନିର୍ବାପିତ କର ନାହିଁ। ଭବିଷ୍ୟତ୍‌ବାଣୀକୁ ହେୟଜ୍ଞାନ କର ନାହିଁ ସମସ୍ତ ବିଷୟ ପରୀକ୍ଷା କର; ଯାହା ଉତ୍ତମ ତାହା ଧରି ରଖ, ସବୁପ୍ରକାର ମନ୍ଦତାରୁ ଦୂରରେ ରୁହ।

ସ୍ଵୟଂ ଶାନ୍ତିଦାତା ଈଶ୍ୱର, ତୁମ୍ଭମାନଙ୍କୁ ସଂପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଆତ୍ମା, ମନ ଓ ଶରୀର ଦୋଷଶୂନ୍ୟ ରହୁ। ଯେ ତୁମ୍ଭମାନଙ୍କୁ ଆହ୍ଵାନ କରନ୍ତି, ସେ ବିଶ୍ୱାସଭାଜନ ଏବଂ ସେ ଏହା ସାଧନ କରିବେ।

ଭାଇ ଓ ଭଉଣୀମାନେ, ଆମ ପାଇଁ ପ୍ରାର୍ଥନା କର।

ପବିତ୍ର ଚୁମ୍ବନରେ ଇଶ୍ୱରଙ୍କ ଲୋକମାନଙ୍କୁ ଅଭିବାଦନ ଜଣାଅ।

ସବୁ ଭ୍ରାତାଙ୍କ ନିକଟରେ ଏହି ପତ୍ର ପାଠ କରିବ ବୋଲି ମୁଁ ପ୍ରଭୁଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ଦୃଢ଼ ଆଦେଶ ଦେଉଅଛି।

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହିଥାଉ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.