Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ଥେସଲନୀକୀୟ 1

ପାଉଲ, ଶୀଲା ଓ ତୀମଥିଙ୍କ,

ନିକଟରୁ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆଶ୍ରିତ ଥେସଲନିକୀୟ ମଣ୍ଡଳୀକୁ ଅଭିବାଦନ:

ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ଓ ଶାନ୍ତି ବିରାଜୁ।

ଥେସଲନିକୀୟ ମଣ୍ଡଳୀର ବିଶ୍ୱାସ ପାଇଁ ଧନ୍ୟବାଦ ଅର୍ପଣ

ଆମର ପ୍ରାର୍ଥନାରେ ଆମେ ତୁମ୍ଭମାନଙ୍କ ବିଷୟ ଉଲ୍ଲେଖ କରି ତୁମ ସମସ୍ତଙ୍କ ପାଇଁ ସର୍ବଦା ଈଶ୍ୱରଙ୍କର ଧନ୍ୟବାଦ କରିଥାଉ। ତୁମ୍ଭମାନଙ୍କର ବିଶ୍ୱାସଜନିତ କର୍ମ, ପ୍ରେମଜନିତ ପରିଶ୍ରମ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଭରସାଜନିତ ଧୈର୍ଯ୍ୟର ବିଷୟ ଆମେ ଆମର ଈଶ୍ୱର ଓ ପିତାଙ୍କ ସାକ୍ଷାତରେ ସର୍ବଦା ସ୍ମରଣ କରିଥାଉ।

ହେ ଈଶ୍ୱରଙ୍କ ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭମାନଙ୍କୁ ଈଶ୍ୱର ମନୋନୀତ କରିଅଛନ୍ତି ବୋଲି ଆମେ ଜାଣୁ, କାରଣ ଆମର ସୁସମାଚାର କେବଳ ବାକ୍ୟରେ ନୁହେଁ ମାତ୍ର ଶକ୍ତିରେ, ପବିତ୍ରଆତ୍ମାଙ୍କ ସହାୟତାରେ ଓ ଦୃଢ଼ ନିଶ୍ଚିତ ବୋଧ ସହକାରେ ତୁମ୍ଭମାନଙ୍କ ନିକଟକୁ ଆସିଥିଲା। ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ସକାଶେ ଆମେ କି ପ୍ରକାର ଜୀବନଯାପନ କରିଥିଲୁ ତାହା ତୁମ୍ଭେମାନେ ଜାଣିଅଛ। ଦାରୁଣ ଦୁଃଖକ୍ଳେଶ ସତ୍ତ୍ୱେ, ପବିତ୍ରଆତ୍ମାଙ୍କପ୍ରଦତ୍ତ ଆନନ୍ଦରେ ତୁମ୍ଭେମାନେ ସେହି ବାର୍ତ୍ତା ଗ୍ରହଣ କରି ଆମର ଓ ପ୍ରଭୁଙ୍କର ଅନୁକରଣ କଲ। ପୁଣି ଏହିରୂପେ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସବୁ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ହେଲ। ତୁମ୍ଭମାନଙ୍କଠାରୁ ପ୍ରଭୁଙ୍କର ବାକ୍ୟ ଯେ କେବଳ ମାସିଦୋନିଆ ଓ ଆଖାୟାରେ ଘୋଷିତ ହେଲା ତାହା ନୁହେଁ ତୁମ୍ଭମାନଙ୍କର ଈଶ୍ୱର ବିଶ୍ୱାସର କଥା ସର୍ବତ୍ର ବିଦିତ ହୋଇଅଛି। ତେଣୁ ସେହି ବିଷୟରେ ଆମର କିଛି କହିବା ଆବଶ୍ୟକ ନାହିଁ, କାରଣ ତୁମ୍ଭେମାନେ କି ପ୍ରକାରେ ଆମ୍ଭମାନଙ୍କୁ ସ୍ୱାଗତ କଲ। ପ୍ରତିମାଗୁଡ଼ିକ ପରିତ୍ୟାଗ କରି ନିତ୍ୟଜୀବୀ ଓ ସତ୍ୟ ଈଶ୍ୱରଙ୍କ ସେବା କରିବାକୁ ତାହାଙ୍କ ନିକଟକୁ ଆସିଲ, ଏବଂ ଯେଉଁ ଯୀଶୁଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇଲେ ଓ ଆଗାମୀ କ୍ରୋଧରୁ ଯେ ଆମକୁ ଉଦ୍ଧାର କରିବେ, ଈଶ୍ୱରଙ୍କ ସେହି ପୁତ୍ରଙ୍କର ସ୍ଵର୍ଗରୁ ଆଗମନର ଅପେକ୍ଷାରେ କିପରି ରହିଅଛ ଏହିସବୁ ବିଷୟ ସେମାନେ କହନ୍ତି।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.