Skip to content
BibleKenya

Biblica® Open Odia Contemporary Bible

ପ୍ରଥମ ପିତର 4

ଈଶ୍ୱରଙ୍କ ନିମନ୍ତେ ଜୀବନଯାପନ କର

ଅତଏବ, ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ, ତୁମ୍ଭେମାନେ ମଧ୍ୟ ସେହିପ୍ରକାର ମନୋଭାବ ଧାରଣ କର, କାରଣ ଯେ ନିଜ ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି। ଫଳତଃ, ସେ ତା ପାର୍ଥିବ ଜୀବନର ଅବଶିଷ୍ଟ କାଳ ମନୁଷ୍ୟ ସୁଲଭ କୁଅଭିଳାଷ ପାଇଁ କ୍ଷେପଣ ନ କରି, ଈଶ୍ୱରଙ୍କ ଅଭିମତାନୁସାରେ କ୍ଷେପଣ କରେ। ଅନ୍ୟଜାତୀୟ ଲୋକେ ଯେଉଁସବୁ କାର୍ଯ୍ୟ କରିବାକୁ ଭଲ ପାଆନ୍ତି ଅର୍ଥାତ୍ ଲମ୍ପଟତା, ଲୋଭ, ମଦ୍ୟପାନରେ ଆସକ୍ତି, ରଙ୍ଗରସ, ମଦ୍ୟପାନୋତ୍ସବ ଓ ଘୃଣ୍ୟ ପ୍ରତିମା ପୂଜାରେ ତୁମ୍ଭେମାନେ ଅତୀତରେ ଯଥେଷ୍ଟ ସମୟ କ୍ଷେପଣ କରିଅଛ। ବର୍ତ୍ତମାନ ତୁମ୍ଭେମାନେ ଯେ, ସେମାନଙ୍କ ଉଚ୍ଛୃଙ୍ଖଳତାରେ ହାତ ମିଳାଉ ନାହଁ, ଏଥିରେ ଆଶ୍ଚର୍ଯ୍ୟବୋଧ କରି ସେମାନେ ତୁମ୍ଭମାନଙ୍କର ନିନ୍ଦା କରୁଅଛନ୍ତି। କିନ୍ତୁ ଯେ ଜୀବିତ ଓ ମୃତମାନଙ୍କର ବିଚାର କରିବାକୁ ଯାଉଅଛନ୍ତି ତାହାଙ୍କ ସାକ୍ଷାତରେ ସେମାନଙ୍କୁ ନିକାଶ ଦେବାକୁ ପଡ଼ିବ। କାରଣ ଯେଉଁମାନେ ଏବେ ମୃତ, ସେମାନଙ୍କ ନିକଟରେ ସୁଦ୍ଧା ଏହି ଉଦ୍ଦେଶ୍ୟରେ ସୁସମାଚାର ପ୍ରଚାରିତ ହୋଇଥିଲା, ଯେପରିକି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ଦଣ୍ଡାଜ୍ଞା ପାଇଲେ ମଧ୍ୟ ଈଶ୍ୱରଙ୍କ ସଦୃଶ ଆତ୍ମାରେ ଜୀବିତ ରହି ପାରିବେ।

ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ। ତେଣୁ ତୁମ୍ଭେମାନେ ଯେପରି ପ୍ରାର୍ଥନା କରିପାରିବ ଏଥିପାଇଁ ବୁଦ୍ଧିମାନ ଓ ଆତ୍ମସଂଯମୀ ହୁଅ। ସର୍ବୋପରି, ପରସ୍ପରକୁ ପ୍ରଗାଢ଼ ଭାବରେ ପ୍ରେମ କର, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। ଅକୁଣ୍ଠିତ ଚିତ୍ତରେ ପରସ୍ପରର ଆତିଥ୍ୟ କର। ଈଶ୍ୱରଙ୍କ ବହୁବିଧ ଅନୁଗ୍ରହ ଅନୁସାରେ ଯେ ଯେଉଁ ପ୍ରକାର ଦାନ ପାଇଅଛି, ସେ ସେହିପ୍ରକାରେ ଅନ୍ୟମାନଙ୍କ ସେବା ପାଇଁ ବିଶ୍ୱସ୍ତ ଭାବରେ ତାହା ବ୍ୟବହାର କରୁ। କେହି ଯଦି ପ୍ରଚାର କରେ, ସେ ସ୍ଵୟଂ ଈଶ୍ୱରଙ୍କ ବାକ୍ୟ କହିଲା ପରି ପ୍ରଚାର କରୁ। କେହି ଯଦି ସେବା କରେ, ସେ ଈଶ୍ୱରପ୍ରଦତ୍ତ ଶକ୍ତିରେ ସେବା କରୁ, ଯଦ୍ଦ୍ୱାରା ସମସ୍ତ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ୱର ପ୍ରଶଂସା ପାଇବେ। ଗୌରବ ଓ ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍।

ଖ୍ରୀଷ୍ଟବିଶ୍ୱାସୀ ପ୍ରତି ଅଗ୍ନିପରୀକ୍ଷା

ହେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନଙ୍କ ପ୍ରତି ଯେଉଁ ଅଗ୍ନିପରୀକ୍ଷା ଆସିଅଛି, ତାହା କୌଣସି ଅସ୍ଵଭାବିକ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟବୋଧ କର ନାହିଁ। ବରଞ୍ଚ ଆନନ୍ଦିତ ହୁଅ ଯେ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗରେ ଭାଗୀ ହେଉଅଛ, ତା ହେଲେ ତାଙ୍କର ମହିମା ପ୍ରକାଶିତ ହେବା ବେଳେ ତୁମ୍ଭମାନଙ୍କର ଆନନ୍ଦ ଉଚ୍ଛୁଳି ଉଠିବ। ଖ୍ରୀଷ୍ଟଙ୍କ ନାମ ସକାଶେ ଯଦି ନିନ୍ଦିତ ହେଉଅଛ, ତେବେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା ଅର୍ଥାତ୍ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। ଯଦି ଦୁଃଖକ୍ଳେଶ ଭୋଗିବାକୁ ପଡ଼େ, ତେବେ ନରହନ୍ତା କିମ୍ବା ଚୋର କିମ୍ବା କୌଣସି ପ୍ରକାର ଅପରାଧୀ, ଏପରିକି ଅନଧିକାର ଚର୍ଚ୍ଚାକାରୀ ଭାବରେ ତୁମକୁ ଦୁଃଖକ୍ଳେଶ ଭୋଗିବାକୁ ନ ପଡ଼ୁ। କିନ୍ତୁ, ତୁମେ ଯଦି ଜଣେ ଖ୍ରୀଷ୍ଟିୟାନ ଭାବରେ ଦୁଃଖଭୋଗ କର, ତେବେ ଲଜ୍ଜିତ ହୁଅ ନାହିଁ, ବରଂ ତୁମେ ସେହି ନାମ ଧାରଣ କରୁଥିବାରୁ ଈଶ୍ୱରଙ୍କ ପ୍ରଶଂସା କର। କାରଣ ଈଶ୍ୱରଙ୍କ ପରିବାରଠାରୁ ବିଚାର ଆରମ୍ଭ କରିବା ସମୟ ଆସିଅଛି ଏବଂ ଏହା ଯଦି ଆମଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରର ଆଜ୍ଞାବହ ନୁହନ୍ତି, ସେମାନଙ୍କ ଶେଷଦଶା କଅଣ ନ ହେବ? ଆହୁରି ମଧ୍ୟ,

“ଯଦି ଧାର୍ମିକ ଲୋକର ପରିତ୍ରାଣ ପାଇବା କଷ୍ଟକର ହୁଏ,

ତେବେ ଅଧାର୍ମିକ ଓ ପାପୀ ଲୋକଙ୍କର ଦଶା କଅଣ ହେବ?”

ଅତଏବ, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖଭୋଗ କରନ୍ତି, ସେମାନେ ନିଜର ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କ ହସ୍ତରେ ନିଜକୁ ସମର୍ପଣ କରି ସତ୍‌କର୍ମରେ ଲାଗି ରହନ୍ତୁ।

Biblica® Open Odia Contemporary Bible. Copyright © Biblica, Inc. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.