Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଗଣନା ପୁସ୍ତକ 22

ବାଲାକଙ୍କ ବିଲୀୟମ୍‍ଙ୍କୁ ଆହ୍ୱାନ

ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଯିରୀହୋ ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।

ପୁଣି, ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ ଦେଖିଲେ। ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍‍ବିଗ୍ନ ହେଲେ। ଏଥିରେ ମୋୟାବ ମିଦୀୟନୀୟ ପ୍ରାଚୀନଗଣକୁ କହିଲେ, “ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ଏହି ସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲେ।” ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମ୍‍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ବାର୍ତ୍ତାବହ ପଠାଇ ଏହା କହିଲେ, “ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି, ଆମ୍ଭ ସମ୍ମୁଖରେ ବାସ କରନ୍ତି। ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶପ୍ତ ହୁଏ।”

ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି, ସେମାନେ ବିଲୀୟମ୍‍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ। ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍‍ ସଙ୍ଗରେ ରହିଲେ। ଏଉତ୍ତାରେ ପରମେଶ୍ୱର ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ?” ତହୁଁ ବିଲୀୟମ୍‍ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋʼ ନିକଟକୁ ଏହା କହି ପଠାଇଅଛନ୍ତି; ‘ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ିଦେଇ ପାରିବା।’” ତହିଁରେ ପରମେଶ୍ୱର ବିଲୀୟମ୍‍କୁ କହିଲେ, “ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବ ନାହିଁ; କାରଣ ସେମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି।” ଏଥିରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, “ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ମନା କରିଅଛନ୍ତି।” ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲୀୟମ୍‍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ମନା କରୁଅଛି।”

ଏଉତ୍ତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ। ତହୁଁ ସେମାନେ ବିଲୀୟମ୍‍ ନିକଟକୁ ଆସି ତାହାକୁ କହିଲେ, “ସିପ୍ପୋରର ପୁତ୍ର ବାଲାକ ଏହି କଥା କହନ୍ତି, ‘ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକି ଆସିବାକୁ ତୁମ୍ଭେ ନିବାରିତ ହୁଅ ନାହିଁ। କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।’” ଏଥିରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ। ଏନିମନ୍ତେ ବିନୟ କରୁଅଛି, ତୁମ୍ଭେମାନେ ହେଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ, ତାହା ମୁଁ ଜାଣିବି।” ଏଥିରେ ପରମେଶ୍ୱର ରାତ୍ରିରେ ବିଲୀୟମ୍‍ ନିକଟକୁ ଆସି କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ।”

ତହିଁରେ ବିଲୀୟମ୍‍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଦଭୀ ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା।

ବିଲୀୟମ୍‍ଙ୍କ ଗଧ ଏବଂ ଦୂତ

ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ। ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍‍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା; ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ। ସେହି ସମୟରେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମ୍‍ର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା। ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କିମ୍ବା ବାମରେ ଫେରିବାର ସ୍ଥାନ ନ ଥିଲା। ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି ବିଲୀୟମ୍‍ର ତଳେ ଶୋଇ ପଡ଼ିଲା; ତହିଁରେ ବିଲୀୟମ୍‍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଗର୍ଦ୍ଦଭୀକୁ ଆପଣା ଯଷ୍ଟିରେ ପ୍ରହାର କଲା। ତହୁଁ ସଦାପ୍ରଭୁ ଗର୍ଦ୍ଦଭୀର ମୁଖ ଫିଟାଇଲେ, ତେଣୁ ସେ ବିଲୀୟମ୍‍କୁ କହିଲା, “ମୁଁ ତୁମ୍ଭର କଅଣ କଲି ଯେ, ତୁମ୍ଭେ ମୋତେ ଏହି ତିନି ଥର ପ୍ରହାର କଲ।” ତେବେ ବିଲୀୟମ୍‍ ଗର୍ଦ୍ଦଭୀକୁ କହିଲା, “କାରଣ ତୁ ମୋତେ ପରିହାସ କରୁଅଛୁ; ମୋʼ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି।” ପୁଣି, ଗର୍ଦ୍ଦଭୀ ବିଲୀୟମ୍‍କୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ୍ଭ ପ୍ରତି ଏପରି କରିଥିଲି?” ତହୁଁ ସେ କହିଲା, “ନା।” ଏଥିରେ ସଦାପ୍ରଭୁ ବିଲୀୟମ୍‍ର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଏହି ତିନି ଥର ଆପଣା ଗର୍ଦ୍ଦଭୀକୁ କାହିଁକି ପ୍ରହାର କଲ? ଦେଖ, ଆମ୍ଭେ ତୁମ୍ଭର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମ୍ଭର ଗତି ବିପଥଗାମୀ ହୋଇଅଛି; ପୁଣି, ଗର୍ଦ୍ଦଭୀ ଆମ୍ଭକୁ ଦେଖି ଏହି ତିନି ଥର ଆମ୍ଭ ସମ୍ମୁଖରୁ ଫେରିଲା; ସେ ଯଦି ଆମ୍ଭ ସମ୍ମୁଖରୁ ଫେରି ନ ଥାʼନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମ୍ଭକୁ ବଧ କରିଥାʼନ୍ତୁ, ଆଉ ତାହାକୁ ଜୀଅନ୍ତା ରଖିଥାʼନ୍ତୁ।” ତହିଁରେ ବିଲୀୟମ୍‍ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ମୁଁ ପାପ କରିଅଛି; କାରଣ ତୁମ୍ଭେ ଯେ ମୋʼ ବିପକ୍ଷରେ ପଥରେ ଠିଆ ହୋଇଅଛ; ତାହା ମୁଁ ଜାଣିଲି ନାହିଁ; ଏଣୁ ଏବେ, ଯଦି ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି।” ତହିଁରେ ସଦାପ୍ରଭୁଙ୍କ ଦୂତ ବିଲୀୟମ୍‍କୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, କେବଳ ତାହା ତୁମ୍ଭେ କହିବ।” ତହିଁରେ ବିଲୀୟମ୍‍ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।

ଏଥିଉତ୍ତାରେ ବିଲୀୟମ୍‍ର ଆଗମନ ସମ୍ବାଦ ଶୁଣି ବାଲାକ ତାହା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅର୍ଣ୍ଣୋନର ସୀମାନ୍ତବର୍ତ୍ତୀ ମୋୟାବ ନଗରକୁ ଗମନ କଲେ। ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମ୍ଭକୁ ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତାନ୍ତ ଅସମର୍ଥ?” ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ଦେଖ, ମୁଁ ତୁମ୍ଭ ନିକଟକୁ ଆସିଅଛି; ମାତ୍ର ଏବେ କୌଣସି କଥା କହିବାକୁ କି ମୋହର କିଛି ସାମର୍ଥ୍ୟ ଅଛି? ପରମେଶ୍ୱର ମୋʼ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।” ଏଉତ୍ତାରେ ବିଲୀୟମ୍‍ ବାଲାକ ସହିତ ଗମନ କରି କିରୀୟଥ୍‍-ହୁଷୋତରେ ଉପସ୍ଥିତ ହେଲା। ତହୁଁ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲୀୟମ୍‍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ। ପୁଣି, ପ୍ରଭାତରେ ବାଲାକ ବିଲୀୟମ୍‍କୁ ସଙ୍ଗେ ନେଇ ବାଲ୍‍ର1 ଉଚ୍ଚସ୍ଥଳୀରେ ଆରୋହଣ କରାଇଲେ; ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ।

Source notes (1)
  1. Footnote ବାଲ୍‍ର କିମ୍ବା ବାମତ୍‍ବାଲ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.