ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଆଦି ପୁସ୍ତକ 40
ସ୍ୱପ୍ନର ଅର୍ଥ ପ୍ରକାଶ
ଏହିସବୁ ଘଟଣା ଉତ୍ତାରେ ମିସରୀୟ ରାଜାଙ୍କର ପାନପାତ୍ରବାହକ ଓ ସୂପକାର ଆପଣାମାନଙ୍କର ପ୍ରଭୁ ମିସରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ। ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ରବାହକ ଓ ପ୍ରଧାନ ସୂପକାର ଏହି ଦୁଇ ଭୃତ୍ୟ ପ୍ରତି କ୍ରୁଦ୍ଧ ହେଲେ, ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀଗୃହରେ ଯୋଷେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ।
ତହିଁରେ ରକ୍ଷକ ସୈନ୍ୟାଧିପତି ଯୋଷେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ଏହି ପ୍ରକାରେ ସେମାନେ କିଛି ଦିନ କାରାଗାରରେ ରହିଲେ। ଏଥିଉତ୍ତାରେ ମିସରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ରବାହକ ଓ ସୂପକାର ଦୁଇ ଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ।
ତହିଁରେ ଯୋଷେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ। ତହୁଁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ ବିଷଣ୍ଣ କାହିଁକି?” ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।”
ତହୁଁ ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋʼ ସମ୍ମୁଖରେ ଥିଲା, ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା, ପୁଣି, ତାହା ପଲ୍ଲବିତ ହୁଅନ୍ତେ, ତହିଁରେ ଫୁଲ ଫୁଟିଲା, ଆଉ ସକଳ ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା। ସେତେବେଳେ ମୋʼ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
ତହିଁରେ ଯୋଷେଫ ତାହାକୁ କହିଲେ, “ଏଥିର ଅର୍ଥ ଏହି; ସେହି ତିନି ଶାଖାରେ ତିନି ଦିନ ବୁଝାଏ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବ ପରି ପାନପାତ୍ରବାହକ ହୋଇ ପୁନର୍ବାର ଫାରୋଙ୍କର ହସ୍ତରେ ପାନପାତ୍ର ଦେବ। ମାତ୍ର ତୁମ୍ଭର ମଙ୍ଗଳ ହେଲେ, ମୋତେ ସ୍ମରଣ କରିବ, ପୁଣି, ମୋʼ ପ୍ରତି ଦୟା କରି ଫାରୋଙ୍କ ଛାମୁରେ ମୋʼ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ। କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।”
ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋʼ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା। ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।”
ସେତେବେଳେ ଯୋଷେଫ ଉତ୍ତର କଲେ, “ଏଥିର ଅର୍ଥ ଏହି, ସେହି ତିନି ଡାଲାରେ ତିନି ଦିନ ବୁଝାଏ। ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଶରୀରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ, ପୁଣି, ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”
ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ। ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ; ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ଗଲା।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.