ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଆଦି ପୁସ୍ତକ 16
ହାଗାର ଓ ଇଶ୍ମାୟେଲ
ଅବ୍ରାମଙ୍କର ଭାର୍ଯ୍ୟା ସାରୀ ନିଃସନ୍ତାନା ଥିଲେ, ପୁଣି, ହାଗାର ନାମ୍ନୀ ତାଙ୍କର ଏକ ମିସରୀୟା ଦାସୀ ଥିଲା। ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି।” ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ। ଅବ୍ରାମ କିଣାନ ଦେଶରେ ଦଶ ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରୀ ଆପଣା ମିସରୀୟା ଦାସୀ ହାଗାରକୁ ନେଇ ଆପଣା ସ୍ୱାମୀ ଅବ୍ରାମ ସହିତ ବିବାହ ଦେଲେ। ଏଥିଉତ୍ତାରେ ଅବ୍ରାମ ହାଗାରର ସହବାସ କରନ୍ତେ, ସେ ଗର୍ଭବତୀ ହେଲା; ପୁଣି, ଆପଣାର ଗର୍ଭ ହୋଇଅଛି, ଏହା ଜାଣି ସେ ନିଜ ସାଆନ୍ତାଣୀଙ୍କୁ ତୁଚ୍ଛଜ୍ଞାନ କରିବାକୁ ଲାଗିଲା।
ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକୁ ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।” ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, “ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତାʼ ପ୍ରତି କର।” ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା।
ଏଥିଉତ୍ତାରେ ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍, ଶୂରର ପଥରେ ଯେଉଁ ନିର୍ଝର ଅଛି, ତହିଁ ନିକଟରେ ତାହାକୁ ଦେଖି କହିଲେ, “ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ? ପୁଣି, କେଉଁଠାକୁ ଯିବ?” ତହିଁରେ ସେ କହିଲା, “ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।”
ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଆପଣା ସାଆନ୍ତାଣୀ ନିକଟକୁ ଫେରିଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ।” ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”
ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ1 ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ। ପୁଣି, ସେ ମନୁଷ୍ୟମାନଙ୍କ ମଧ୍ୟରେ ବନ ଗର୍ଦ୍ଦଭ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ, ପୁଣି, ସେ ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, “ମଦ୍ଦର୍ଶକ ପରମେଶ୍ୱର” (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, “ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି!” ଏଣୁ ସେହି କୂପର ନାମ ବେର-ଲହୟ-ରୋୟୀ2 ରଖାଗଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
ଏଥିଉତ୍ତାରେ ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାୟେଲ ଦେଲେ। ଅବ୍ରାମଙ୍କର ଛୟାଅଶୀ ବର୍ଷ ବୟସରେ ହାଗାର ଅବ୍ରାମଙ୍କ ନିମନ୍ତେ ଇଶ୍ମାୟେଲକୁ ପ୍ରସବ କଲା।
Source notes (2)
- Footnote ଅର୍ଥାତ୍, ପରମେଶ୍ୱର ଶୁଣନ୍ତି
- Footnote ଅର୍ଥାତ୍, ଦର୍ଶନାନ୍ତେ ଜୀବନ-କୂପ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.