Skip to content
BibleKenya

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ

ଦାନିୟେଲ 5

ବେଲ୍‍ଶତ୍ସର ନିମନ୍ତେ କାନ୍ଥରେ ଲେଖା

ରାଜା ବେଲ୍‍ଶତ୍ସର ଆପଣାର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା।

ପୁଣି, ତାହାର ପିତା ନବୂଖଦ୍‍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍‍ଶତ୍ସର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା। ତହିଁରେ ଯିରୂଶାଲମସ୍ଥ ମନ୍ଦିରରୁ, ଅର୍ଥାତ୍‍, ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ; ପୁଣି, ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ସବୁରେ ପାନ କଲେ।

ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ। ସେହି ଦଣ୍ଡରେ ମନୁଷ୍ୟ ହସ୍ତର ଅଙ୍ଗୁଳି ଆସି ରାଜପ୍ରାସାଦର କାନ୍ଥର ଲେପନ ଉପରେ ଦୀପାଧାରର ନିକଟରେ ଲେଖିଲା, ଆଉ ହସ୍ତର ଯେଉଁ ଅଂଶ ଲେଖିଲା, ରାଜା ତାହା ଦେଖିଲା। ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍‍ବିଗ୍ନ କଲା; ପୁଣି, ତାହାର କଟିଦେଶରେ ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା। ରାଜା ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍‍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।” ତହିଁରେ ରାଜାର ସମସ୍ତ ବିଦ୍ୱାନ୍‍ ଲୋକ ଭିତରକୁ ଆସିଲେ; ମାତ୍ର ସେମାନେ ଲେଖା ପଢ଼ି ପାରିଲେ ନାହିଁ, କିଅବା ରାଜାକୁ ତହିଁର ଅର୍ଥ ଜଣାଇ ପାରିଲେ ନାହିଁ। ତେଣୁ ରାଜା ବେଲ୍‍ଶତ୍ସର ଅତିଶୟ ଉଦ୍‍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।

ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍‍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍‍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ। ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍‍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ; କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍‍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।”

ଦାନିୟେଲଙ୍କ ଲେଖାର ଅର୍ଥ ପ୍ରକାଶ

ତହୁଁ ଦାନିୟେଲଙ୍କୁ ରାଜାର ଛାମୁକୁ ଅଣାଗଲା ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜା ଯିହୁଦା ଦେଶରୁ ଯେଉଁମାନଙ୍କୁ ଆଣିଥିଲେ, ସେହି ନିର୍ବାସିତ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଯେଉଁ ଦାନିୟେଲ ଥିଲେ, ସେ କି ତୁମ୍ଭେ? ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ। ବର୍ତ୍ତମାନ ଏହି ଲେଖା ପଢ଼ିବା ପାଇଁ ଓ ତହିଁର ଅର୍ଥ ମୋତେ ଜଣାଇବା ପାଇଁ ବିଦ୍ୱାନ୍‍ ଓ ଗଣକମାନେ ମୋʼ ନିକଟକୁ ଅଣା ଯାଇଅଛନ୍ତି; ମାତ୍ର ସେମାନେ ତହିଁର ଅର୍ଥ ପ୍ରକାଶ କରି ପାରିଲେ ନାହିଁ। ମାତ୍ର ତୁମ୍ଭ ବିଷୟରେ ମୁଁ ଶୁଣିଅଛି ଯେ, ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଦୂର କରିପାର; ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇପାର, ତେବେ ତୁମ୍ଭେ ବାଇଗଣିଆ ବର୍ଣ୍ଣର ବସ୍ତ୍ରରେ ବସ୍ତ୍ରାନ୍ୱିତ ହେବ, ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଦିଆଯିବ ଓ ତୁମ୍ଭେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”

ସେତେବେଳେ ଦାନିୟେଲ ରାଜାର ଛାମୁରେ ଉତ୍ତର କରି କହିଲେ, “ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି। ହେ ମହାରାଜ, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍‍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ; ଆଉ, ସେ ତାଙ୍କୁ ଏପରି ମହିମା ଦେବାରୁ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ; ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ବଧ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଜୀବିତ ରଖିଲେ; ପୁଣି, ଯାହାକୁ ତାଙ୍କର ଇଚ୍ଛା, ସେ ତାହାକୁ ଉନ୍ନତ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଅବନତ କଲେ। ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା, ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି। ଆଉ ହେ ବେଲ୍‍ଶତ୍ସର, ତାଙ୍କର ପୁତ୍ର ଯେ ଆପଣ, ଆପଣ ଏସବୁ ଜାଣିଲେ ହେଁ ଆପଣା ଅନ୍ତଃକରଣ ନମ୍ର କରି ନାହାନ୍ତି; ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାʼନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେହି ସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।

ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା। ପୁଣି, ଯାହା ଲିଖିତ ହେଲା, ତାହା ଏହି, ମିନେ ମିନେ, ତକେଲ, ଉପାରସୀନ। ଏହାର ଅର୍ଥ ଏହି ମିନେ, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। ତକେଲ, ଆପଣ ନିକ୍ତିରେ ତୌଲା ଯାଇଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି। ପୀରସ୍‍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”

ସେତେବେଳେ ବେଲ୍‍ଶତ୍ସର ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣ ହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ, ତାଙ୍କ ବିଷୟରେ ଏହା ଘୋଷଣା କଲେ।

ସେହି ରାତ୍ରିରେ କଲ୍‍ଦୀୟମାନଙ୍କର ରାଜା ବେଲ୍‍ଶତ୍ସର ବଧ କରାଗଲା। ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.