ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଦ୍ବିତୀୟ ବଂଶାବଳୀ 3
ମନ୍ଦିର ନିର୍ମାଣ ଆରମ୍ଭ
ଏଥିଉତ୍ତାରେ ଶଲୋମନ ଯିରୂଶାଲମସ୍ଥ ମୋରୀୟା ପର୍ବତରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ, ସେହି ସ୍ଥାନରେ ସଦାପ୍ରଭୁ ତାଙ୍କର ପିତା ଦାଉଦଙ୍କୁ ଦର୍ଶନ ଦେଇଥିଲେ, ଦାଉଦ ଯିବୂଷୀୟ ଅରଣନ ଖଳାରେ ଯେଉଁ ସ୍ଥାନ ନିରୂପଣ କରିଥିଲେ, ସେହିଠାରେ ସେ ତାହା ପ୍ରସ୍ତୁତ କଲେ। ପୁଣି ସେ ଆପଣା ରାଜତ୍ଵର ଚତୁର୍ଥ ବର୍ଷର ଦ୍ୱିତୀୟ ମାସର ଦ୍ୱିତୀୟ ଦିନରେ ନିର୍ମାଣ କରିବାକୁ ଆରମ୍ଭ କଲେ। ଶଲୋମନ ପରମେଶ୍ୱରଙ୍କ ଗୃହ ନିର୍ମାଣ ନିମନ୍ତେ ଯେଉଁ ମୂଳଦୁଆ ସ୍ଥାପନ କଲେ, ତାହା ଏହି ହସ୍ତର ପ୍ରାଚୀନ ପରିମାଣାନୁସାରେ ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଥିଲା। ପୁଣି ଗୃହର ସମ୍ମୁଖସ୍ଥ ବାରଣ୍ଡାର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ଉଚ୍ଚତା ଶହେ କୋଡ଼ିଏ ହାତ ଥିଲା; ଆଉ ସେ ତହିଁର ଭିତର ଭାଗ ଶୁଦ୍ଧ ସୁବର୍ଣ୍ଣରେ ମଡ଼ାଇଲେ। ପୁଣି ସେ ଉତ୍ତମ ସ୍ୱର୍ଣ୍ଣମଣ୍ଡିତ ଦେବଦାରୁ କାଷ୍ଠରେ ବୃହତ ଗୃହ ଆଚ୍ଛାଦନ କଲେ ଓ ତହିଁ ଉପରେ ଖର୍ଜ୍ଜୁର ବୃକ୍ଷ ଓ ଜଞ୍ଜିରର ଆକୃତି କଲେ। ପୁଣି ସେ ଶୋଭା ନିମନ୍ତେ ଗୃହକୁ ବହୁମୂଲ୍ୟ ପ୍ରସ୍ତରରେ ଭୂଷିତ କଲେ; ସେହି ସ୍ୱର୍ଣ୍ଣ ପର୍ବୟିମ ଦେଶର ସ୍ୱର୍ଣ୍ଣ ଥିଲା। ମଧ୍ୟ ଗୃହ, କଡ଼ି, ଚଉକାଠ ଓ ତହିଁର କାନ୍ଥ ଓ ତହିଁର କବାଟସବୁ ସେ ସୁବର୍ଣ୍ଣରେ ମଡ଼ାଇଲେ; ଆଉ କାନ୍ଥରେ କିରୂବାକୃତି ଖୋଦାଇଲେ।
ପୁଣି ସେ ମହାପବିତ୍ର ଗୃହ ନିର୍ମାଣ କଲେ; ତହିଁର ଦୈର୍ଘ୍ୟ ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଥିଲା; ଆଉ ସେ ଛଅ ଶହ ତାଳନ୍ତ ଉତ୍ତମ ସୁବର୍ଣ୍ଣରେ ତାହା ମଡ଼ାଇଲେ। ଆଉ କଣ୍ଟାର ପରିମାଣ ପଚାଶ ଶେକଲ ସ୍ୱର୍ଣ୍ଣ ଥିଲା, ପୁଣି ସେ ଉପର କୋଠରିମାନ ସୁବର୍ଣ୍ଣରେ ମଡ଼ାଇଲେ।
ଆଉ ସେ ମହାପବିତ୍ର ଗୃହରେ ପିତୁଳା କର୍ମର ଦୁଇ କିରୂବ ନିର୍ମାଣ କଲେ ଓ ସେମାନେ ତାହା ସୁବର୍ଣ୍ଣରେ ମଡ଼ାଇଲେ। ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ଦୀର୍ଘ ଥିଲା; ଏକ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ସେହିପରି ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ସ୍ପର୍ଶ କଲା। ଅନ୍ୟ କିରୂବର ପକ୍ଷ ପାଞ୍ଚ ହାତ ଥାଇ ଗୃହର କାନ୍ଥକୁ ସ୍ପର୍ଶ କଲା ଓ ଅନ୍ୟ ପକ୍ଷ ମଧ୍ୟ ପାଞ୍ଚ ହାତ ଥାଇ ଅନ୍ୟ କିରୂବର ପକ୍ଷକୁ ଲାଗିଲା।
ଏହି କିରୂବମାନଙ୍କର ପକ୍ଷ କୋଡ଼ିଏ ହାତ ବିସ୍ତାରିତ ଥିଲା; ସେମାନେ ଚରଣରେ ଠିଆ ହେଲେ ଓ ସେମାନଙ୍କର ମୁଖ ଗୃହ ଆଡ଼କୁ ଥିଲା। ପୁଣି ସେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ କ୍ଷୌମସୂତ୍ରର ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରି ତହିଁ ଉପରେ କିରୂବଗଣର ଆକୃତି କଲେ।
ଆହୁରି ସେ ଗୃହ ସମ୍ମୁଖରେ ପଞ୍ଚତିରିଶ ହାତ ଉଚ୍ଚ ଦୁଇ ସ୍ତମ୍ଭ ନିର୍ମାଣ କଲେ ଓ ସେହି ପ୍ରତ୍ୟେକର ଉପରିସ୍ଥ ମୁଣ୍ଡାଳି ପାଞ୍ଚ ହାତ ଥିଲା। ଆଉ ସେ ଗର୍ଭଗାରରେ ଜଞ୍ଜିର ନିର୍ମାଣ କରି ସେହି ସ୍ତମ୍ଭ ଉପରେ ରଖିଲେ ଓ ଏକ ଶହ ଡାଳିମ୍ବ ଆକୃତି କରି ସେହି ଜଞ୍ଜିର ଉପରେ ରଖିଲେ। ଆଉ ସେ ମନ୍ଦିର ସମ୍ମୁଖରେ ସେହି ଦୁଇ ସ୍ତମ୍ଭକୁ ଦକ୍ଷିଣ ପାର୍ଶ୍ଵରେ ଏକ ଓ ବାମ ପାର୍ଶ୍ଵରେ ଏକ କରି ସ୍ଥାପନ କଲେ; ଆଉ ଦକ୍ଷିଣ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଯାଖୀନ୍ ଓ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ବୋୟସ୍ ରଖିଲେ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.