ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଲେବୀୟ ପୁସ୍ତକ 8
ହାରୋଣ ଓ ତାଙ୍କ ପୁତ୍ରମାନଙ୍କ ପବିତ୍ରୀକରଣ
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ, ଆଉ ବସ୍ତ୍ରସକଳ, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳିର ଗୋବତ୍ସ, ଦୁଇ ମେଷ ଓ ତାଡ଼ିଶୂନ୍ୟ ରୁଟିର ଟୋକେଇ ଆପଣା ସଙ୍ଗେ ନିଅ। ପୁଣି ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”
ଆଉ, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା କଲେ; ତହିଁରେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀ ଏକତ୍ର ହେଲେ। ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ସେହି କଥା ଏହି।”
ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ। ପୁଣି ହାରୋଣଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ ଦେଲେ, ପୁଣି ଏଫୋଦର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦକୁ ବାନ୍ଧିଲେ। ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ। ପୁଣି, ତାଙ୍କର ମସ୍ତକରେ ପଗଡ଼ି ରଖିଲେ; ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ; ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।
ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ। ପୁଣି, ସେ ତହିଁରୁ କିଛି ନେଇ ବେଦି ଉପରେ ସାତ ଥର ସେଚନ କଲେ; ଆଉ, ବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ। ଏଥିଉତ୍ତାରେ ମୋଶା ହାରୋଣଙ୍କୁ ପବିତ୍ର କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ। ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକରେ ହସ୍ତ ରଖିଲେ। ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ। ଏଥିଉତ୍ତାରେ ମୋଶା ଅନ୍ତ ଉପରିସ୍ଥ ସମସ୍ତ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା ଓ ତହିଁର ମେଦ ନେଇ ବେଦି ଉପରେ ଦଗ୍ଧ କଲେ। ମାତ୍ର ସେହି ଗୋବତ୍ସର ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
ଏଥିଉତ୍ତାରେ ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ। ତହୁଁ ସେ ତାକୁ ବଧ କଲେ, ପୁଣି ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ। ଆଉ, ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ; ପୁଣି, ମୋଶା ତାହାର ମସ୍ତକ, ମାଂସଖଣ୍ଡସକଳ ଓ ମେଦ ଦଗ୍ଧ କଲେ। ଆଉ, ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
ଏଥିଉତ୍ତାରେ ସେ ଅନ୍ୟ ମେଷ, ଅର୍ଥାତ୍, ପଦନିଯୋଗାର୍ଥକ ମେଷ ଆଣିଲେ, ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ। ଆଉ, ସେ ତାକୁ ବଧ କଲେ; ତହୁଁ ମୋଶା ତାହାର କିଛି ରକ୍ତ ନେଇ ହାରୋଣଙ୍କର ଡାହାଣ କର୍ଣ୍ଣପ୍ରାନ୍ତରେ ଓ ତାଙ୍କର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ। ଏଥିଉତ୍ତାରେ ସେ ହାରୋଣଙ୍କର ପୁତ୍ରଗଣଙ୍କୁ ଆଣିଲେ, ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଡାହାଣ କର୍ଣ୍ଣପ୍ରାନ୍ତରେ ଓ ସେମାନଙ୍କ ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ; ଆଉ ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ। ପୁଣି, ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥ ସକଳ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା, ତହିଁର ମେଦ ଓ ଡାହାଣ ଜଙ୍ଘ ନେଲେ; ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ତାଡ଼ିଶୂନ୍ୟ ରୁଟିର ଟୋକେଇରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳଲେପିତ ରନ୍ଧନ ହୋଇଥିବା ରୁଟିର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଜଙ୍ଘ ଉପରେ ରଖିଲେ; ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହି ସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ଏଥିଉତ୍ତାରେ ମୋଶା ସେମାନଙ୍କ ହସ୍ତରୁ ସେହି ସବୁ ନେଇ ବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ; ଏହିସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନିଯୋଗାର୍ଥକ ନୈବେଦ୍ୟ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ଆଉ, ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ; ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳରୁ ଓ ବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ, ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସେଚନ କଲେ; ଆଉ ହାରୋଣଙ୍କୁ ଓ ତାଙ୍କର ବସ୍ତ୍ରସକଳକୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସେମାନଙ୍କ ବସ୍ତ୍ରସକଳକୁ ପବିତ୍ର କଲେ।
ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର। ପୁଣି, ମାଂସ ଓ ରୁଟିରୁ ଯାହା ଅବଶିଷ୍ଟ ରହିବ, ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ। ଆଉ, ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ, ଅର୍ଥାତ୍, ତୁମ୍ଭମାନଙ୍କ ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ପଦରେ ନିଯୁକ୍ତ କରିବେ। ଯେପରି ଆଜି କରାଯାଇଅଛି, ସେପରି ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି। ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ସାତ ଦିନ ପର୍ଯ୍ୟନ୍ତ ସମାଗମ-ତମ୍ବୁର ଦ୍ୱାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ। କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ।” ତହୁଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଆଜ୍ଞା କରିଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ସବୁ କଥା ପାଳନ କଲେ।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.