ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ
ଯୂନସ 2
ଯୂନସଙ୍କ ପ୍ରାର୍ଥନା
ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ଆଉ, ସେ କହିଲେ,
“ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି,
ତହିଁରେ ସେ ମୋତେ ଉତ୍ତର ଦେଲେ,
ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି,
ତୁମ୍ଭେ ମୋର ରବ ଶୁଣିଲ।
କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ,
ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା;
ତୁମ୍ଭର ଢେଉ ଓ ତରଙ୍ଗସବୁ
ମୋʼ ଉପର ଦେଇ ଗଲା।
ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି;
ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।
ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା;
ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା;
ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା।
ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି;
ମୋʼ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା;
ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ।
ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି;
ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।
ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି,
ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।
ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି;
ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି;
ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।”
ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ. Copyright © 2017, 2019, 2021 Bridge Connectivity Solutions. Licensed under CC BY-SA 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-10-25.